ସରକାରୀ ନିର୍ଦ୍ଦେଶ ଉଲ୍ଲଙ୍ଘନ: କଟକଣା ସତ୍ତ୍ୱେ ବଜାରରେ ଲୋକଙ୍କ ଭିଡ଼

ବସ୍ତା,୨୫।୩(ଡି.ଏନ୍‌.ଏନ୍‌.): ମହାମାରୀ କରୋନା ସଂକ୍ରମଣ ଭୟକୁ ରୋକିବାକୁ ନେଇ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଲୋକେ। ଏହି ଭୂତାଣୁ ନ ବ୍ୟାପିବା ନେଇ ରାଜ୍ୟ ସରକାରଙ୍କ କଟକଣାକୁ କିଛି ଲୋକ ହେୟ ମନେ କରୁଥିବା ବସ୍ତା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନ ବାରମ୍ବାର ସଚେତନତା କରୁଥିଲେ ମଧ୍ୟ ପାଟ୍ରୋଲିଂ ଗାଡ଼ି ଚାଲିଯିବା ପରେ ପୂର୍ବଭଳି ଅବସ୍ଥା ରହୁଛି। ଏଭଳି ପରିସ୍ଥିତିରେ ଠିକାଦାରମାନେ ଶ୍ରମିକମାନଙ୍କୁ ନେଇ ସରକାରୀ ଓ ବେସରକାରୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସରକାରୀ କାର୍ଯ୍ୟାଳୟ ସବୁ ଏକରକମର କାମଚଳା ଭଳି ହେଉଥିବା ବେଳେ ଠିକାଦାରମାନେ ଶ୍ରମିକଙ୍କୁ କାର୍ଯ୍ୟରେ ଲଗାଇବା କେତେଦୂର ସମୀଚୀନ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସେହିପରି ବର୍ତ୍ତମାନ ସମୟରେ ଅସାଧୁ ବ୍ୟବସାୟୀମାନେ କଳାବଜାର କରି ବେଶ୍‌ ଫାଇଦା ଉଠାଉଛନ୍ତି। ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି। ଘଣ୍ଟାକୁ ଘଣ୍ଟା ଦର ବୃଦ୍ଧି ଯୋଗୁ ଖାଉଟିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ଯୋଗାଣ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି।