Categories: ବାଣିଜ୍ୟ

ସରକାରୀ ପ୍ରୋତ୍ସାହନ ନ ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୭-୧୨: ଟେଲିକମ୍‌ କମ୍ପାନୀଗୁଡିକ ଏବେ ପ୍ରଭାବିତ ସ୍ଥିତିରେ ରହିଛନ୍ତି। କମ୍ପାନୀଗୁଡିକ ଉପରେ ଏବେ ବୃହତ୍‌ ଋଣ ବୋଝ ରହିଥିବାରୁ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହୋଇପଡିଛି। ଏଭଳି ସ୍ଥିତିରେ ସରକାର ଦେଶର ଟେଲିକମ୍‌ କମ୍ପାନୀଗୁଡିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ଭୋଡାଫୋନ-ଆଇଡିଆର ଅଧ୍ୟକ୍ଷ କୁମାର ମଙ୍ଗଳମ୍‌ ବିର୍ଲା ଶୁକ୍ରବାର କହିଛନ୍ତି। ସରକାର କମ୍ପାନୀଗୁଡିକୁ ପ୍ରୋତ୍ସାହନ ନ ଦେଲେ ଭୋଡାଫୋନ-ଆଇଡିଆ ବୁଡିଯିବ ବୋଲି ସେ ମତ ରଖିଛନ୍ତି। ଏହି କମ୍ପାନୀରେ ଅଧିକ ଟଙ୍କା ନିବେଶ କରିବେ ନାହିଁ ବୋଲି ବିର୍ଲା ସ୍ପଷ୍ଟ କରିଛନ୍ତି।
ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ ସମିଟ୍‌ ଅବସରରେ ବିର୍ଲା କହିଛନ୍ତି ଯେ, ପ୍ରୋତ୍ସାହନ ବିନା ଭୋଡାଫୋନ-ଆଇଡିଆ ଆଗକୁ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହେବ। ବାଧ୍ୟହୋଇ ଏହାକୁ ବନ୍ଦ କରିବାକୁ ପଡିବ। ବୁଡୁଥିବା ଅର୍ଥରେ ଆଉ ଟଙ୍କା ଲଗାଇବା ଯୁକ୍ତିଯୁକ୍ତ ନୁହେଁ। ସରକାରଙ୍କ ରିହାତି ନ ମିଳିଲେ କମ୍ପାନୀର ସ୍ଥିତି ଖରାପ ହେବ। ଫଳରେ ଏହା ଦେବାଳିଆ ସ୍ଥିତିକୁ ଚାଲିଯାଇପାରେ। ଏହା ହେଲେ କମ୍ପାନୀ ଇନ୍‌ସଲଭେନ୍ସି ପ୍ରକ୍ରିୟାକୁ ଚାଲିଯିବ ବୋଲି ସେ ସୂଚନା ଦେଇଛନ୍ତି। ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ଦେୟ ପ୍ରଦାନ ଲାଗି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଭୋଡାଫୋନ-ଆଇଡିଆ ସରକାରଙ୍କୁ ୫୩ ହଜାର କୋଟି ଟଙ୍କା ଦେବାକୁ ପଡିବ। ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଏହି କମ୍ପାନୀ ୫୧ ହଜାର କୋଟି ଟଙ୍କାର କ୍ଷତି ସହିଛି। ଏହା ଦେଶର ଟେଲିକମ୍‌ ଶିଳ୍ପ ଇତିହାସରେ ଗୋଟିଏ ତ୍ରୈମାସରେ ସବୁଠାରୁ ବଡ କ୍ଷତି ବୋଲି ଜଣାପଡିଛି। ଭୋଡାଫୋନ-ଆଇଡିଆ ବାଦ୍‌ ଏୟାରଟେଲର ସ୍ଥିତି ମଧ୍ୟ ପ୍ରଭାବିତ ରହିଛି। ଦ୍ୱିତୀୟ ତ୍ରୈମାସରେ ଏହା ପ୍ରାୟ ୨୩ ହଜାର କୋଟି ଟଙ୍କାର କ୍ଷତି ସହିଛି। ଗୋଟିଏ ତ୍ରୈମାସରେ ଏହା କମ୍ପାନୀର ସବୁଠାରୁ ବଡ କ୍ଷତି।
ଟେଲିକମ୍‌ କମ୍ପାନୀଙ୍କ ଉପରେ ୧.୪ ଲକ୍ଷ କୋଟିର ବୋଝ
ଦେଶର ଟେଲିକମ କମ୍ପାନୀଙ୍କ ଉପରେ ୧.୪ ଲକ୍ଷ କୋଟି ଟଙ୍କାର ବୋଝ ରହିଛି। ଏହି ଅର୍ଥ ସେମାନେ ସରକାରଙ୍କୁ ପ୍ରଦାନ କରିବେ। ସ୍ପେକ୍ଟ୍ରମ ଚାର୍ଜ, ଲାଇସେନ୍ସ ଫିସ୍‌ , ଏଜିଆର୍‌ ବାବଦ ଅର୍ଥ ପ୍ରଦାନ ଲାଗି ସୁପ୍ରିମକୋର୍ଟ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟରେ ଏୟାରଟେଲର ପ୍ରାୟ ୬୨ ହଜାର କୋଟି ଏବଂ ଭୋଡାଫୋନ ଆଇଡିଆର ୫୪ ହଜାର କୋଟି ଟଙ୍କାର ବକେୟା ସାମିଲ ରହିଛି। ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେଶନ ଉପରେ ମଧ୍ୟ କିଛି ବକେୟା ରହିଛି। ଏହି କମ୍ପାନୀଗୁଡିକୁ ଦେୟ ପ୍ରଦାନ ଲାଗି ସରକାର ୨ ବର୍ଷ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ କମ୍ପାନୀଙ୍କୁ କିଛି ଅର୍ଥ ଦେବାକୁ ପଡିବ ନାହିଁ।

Share