ସରକାରୀ ବସ୍‌ ଛାତ ଉପରେ ଯାତ୍ରୀ ପରିବହନ: ଓଏସ୍‌ଆର୍‌ଟିସି ଇନ୍‌ଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ

ଦାରିଙ୍ଗବାଡି,୨୮ା୬(ଡି.ଏନ୍‌.ଏ.) – ହାତିମୁଣ୍ଡା ଠାରୁ ଫୁଲବାଣୀ ଯାତାୟତ କରୁଥିବା ସରକାରୀ ବସ୍‌ରେ ବେଆଇନ ଭାବେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀଙ୍କୁ ବୁହାଯାଉଛି। ଏହି ଘଟଣାରେ ଆଞ୍ଚଳିକ ପରିବହନ ବିଭାଗର ଏମ୍‌ଭିଆଇ ଗତିକୃଷ୍ଣ ସାମନ୍ତରାୟ ଓଏସ୍‌ଆରଟିସି ବିଭାଗର ଇନ୍‌ଚାର୍ଜଙ୍କୁ କାରଣ ଦର୍ଶାଅ ନୋଟିସ ସହ ସମ୍ପୃକ୍ତ ଗାଡ଼ି ଚାଳକ ଏବଂ କଣ୍ଡକ୍ଟରଙ୍କ ଲାଇସେନ୍ସ ୨୪ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଚିଠି ନଂ.୮୪୯ରେ ଏହା ଜଣାଇଛନ୍ତି। କାରଣରେ ଦର୍ଶାଇଛନ୍ତି ଯେ, ହାତିମୁଣ୍ଡା ଭଳି ଦୁର୍ଗମ ଓ ଘାଟି ରାସ୍ତାରେ ବିପଦପୂର୍ଣ୍ଣ ଭାବେ ମୋଟରଯାନ ନିୟମ ୧୯୨(ଏ)୧୯୮୮ର ଉଲଂଘନ କରି ବସ ଛାତରେ ଯାତ୍ରୀଙ୍କୁ ବୁହାଯାଉଛି। ଏହି ନିର୍ଦ୍ଦେଶ ଅବମାନନା କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚିଠିରେ ଉଲ୍ଲେଖ ରହିଛି।

Share