ଭଦ୍ରକ ଅଫିସ, ୨୪ା୧୨- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖଦାଳପୋଖରୀ ଓ ତୋଟାପଡ଼ା ପଞ୍ଚାୟତର ଏକ ସରକାରୀ ମଦ ଦୋକାନ ଖୋଲାଯାଉଥିବା ଜାଣି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ସମେତ ଅଞ୍ଚଳବାସୀ ଏହାକୁ ବିରୋଧ କରିଛନ୍ତି। ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ ଉପସ୍ଥାପନ କରିଛନ୍ତି। ସେମାନେ କହିଛନ୍ତି ଯେ, ବିରିଆଡ଼ିଆ ଗ୍ରାମ ଗବେଇପୋଖରୀ ଛକ ମୁଖ୍ୟରାସ୍ତା କଡ଼ରେ ଏକ ଭଡ଼ା ଘରେ ଖୋଲିବାକୁ ଯାଉଥିବା ଏହି ମଦ ଦୋକାନ ବର୍ତ୍ତମାନ ଗୋପୀନାଥପୁର ପଞ୍ଚାୟତ ଅଧୀନ ଘଣ୍ଟେଶ୍ୱର ବଜାରରେ ଚାଲୁଛି। ସେଠାରେ ବିରୋଧ ହେବାରୁ ଏହାକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଛି। ଏହି ରାସ୍ତା ଦେଇ ୫ଟି ପଞ୍ଚାୟତର ସ୍କୁଲ କଲେଜ ପିଲା ସାଙ୍ଗକୁ ଲୋକେ ଯାତାୟାତ କରୁଥିବାରୁ ମଦ ଦୋକାନ ଖୋଲିଲେ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଏଥିଲାଗି ଅନୁମତି ନ ଦେବାକୁ ମହିଳା ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।