ସରକାରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି

ବାରିପଦା ଅଫିସ,୧୯ା୧୧- ମୟୂରଭଞ୍ଜ ଜିଲା ବାରିପଦା ବଡ଼ବଜାରସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରେ ସୋମବାର ଛାତ୍ରୀ ଅଶାନ୍ତି ଦେଖା ଦେଇଛି। ମହାବିଦ୍ୟାଳୟରେ ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଦାବିରେ ଛାତ୍ରୀମାନେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରୀ ନେତ୍ରୀ ବର୍ଷାରାଣୀ ପାତ୍ରଙ୍କ ନେତୃତ୍ୱରେ ଛାତ୍ରୀମାନେ ମହାବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସେମାନଙ୍କ ଅଭିଯୋଗ ମୁତାବକ ପ୍ରତି ବର୍ଷ ମହାବିଦ୍ୟାଳୟରେ ପୁନଃ ନାମଲେଖା ବେଳେ ସାଂସ୍କୃତିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ବାବଦକୁ ଫି’ ନିଆଯାଉଛି। ହେଲେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟକ୍ରମ କରୁ ନାହାନ୍ତି। ଗତବର୍ଷ ମଧ୍ୟ କୌଣସି କାର୍ଯ୍ୟକ୍ରମ ହୋଇ ନ ଥିଲା। ଚଳିତ ବର୍ଷ କୌଣସି କାର୍ଯ୍ୟକ୍ରମ କରିବା ପାଇଁ କର୍ତ୍ତୃପକ୍ଷ ତପତ୍ରତା ଦେଖାଉ ନାହାନ୍ତି। ଏନେଇ କର୍ତ୍ତୃୃପକ୍ଷଙ୍କୁ ପଚାରିଲେ ବିଭାଗୀୟ ନିର୍ଦ୍ଦେଶ ନ ଥିବା କହୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଛାତ୍ରୀନେତ୍ରୀ ସୁନନ୍ଦା ମୋଦି, ମଧୁସ୍ମିତା ବେହେରା, ବବିରାଣୀ ସିଂ, ମୌସୁମୀ ଦାସ, ଫାଲଗୁନି ଦାସ, ସୁଚିସ୍ମିତା ସିଂ, ବର୍ଷା ସିଂ, ଲିଜା ଭଞ୍ଜଦେଓ, ମିତାଲି ମଲିକ, ଅନ୍ବେଷା ମହାନ୍ତି, ସୁଦେସ୍ନା ଭଞ୍ଜ, ଗାୟତ୍ରୀ ସାହୁ, ଅନୁପମା ସାହୁ ଓ ଅନିଶା ବେହେରାଙ୍କ ସମେତ ଅନ୍ୟ ଛାତ୍ରୀମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଛାତ୍ରୀନେତ୍ରୀ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଲେଜ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ୍‌ କରି ଦାବିପତ୍ର ପ୍ରଦାନ କରିଥିଲେ। କଲେଜ କର୍ତ୍ତୃପକ୍ଷ ଏନେଇ କୌଣସି ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଛାତ୍ରୀମାନେ କହିଛନ୍ତି।

Share