ସରକାରୀ ଯୋଜନାରୁ ସୁଫଳ ପାଉ ନାହାନ୍ତି ଜନଜାତି ଲୋକେ: ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବିତାଉଛନ୍ତି ଜୀବନ

ଖଣ୍ଡପଡା,୭।୮(ସ୍ବ.ପ୍ର.)-ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ୫ ନମ୍ବର ଜିଲା ପରିଷଦ ଜୋନ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଲୋକେ ନାନା ସମସ୍ୟା ମଧ୍ୟରେ ରହିଛନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନଜାତିଙ୍କ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି। ମାତ୍ର ଏହି ସବୁ ସରକାରୀ ଯୋଜନାରୁ ସୁଫଳ ପାଇପାରୁ ନାହାନ୍ତି।ଖଣ୍ଡପଡା ବ୍ଲକ ଅଞ୍ଚଳର ବିଭିନ୍ନ ଇଲାକାରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ବାସିନ୍ଦା। ଏପରି କି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡିକ ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ଜଣାପଡିଛି। ଖଣ୍ଡପଡ଼ା ବ୍ଲକ ଅଧୀନ ଆଦିବାସୀ ଅଧ୍ୟୁଷିତ କିଆଝର, ଗଡିଆସାହି, ସିଂଘାପଡା, କୋସକା,ରୟତଢୋଲମରା, ବଳଭଦ୍ରପ୍ରସାଦ, କୁମ୍ଭାରପଡ଼ା ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶହଶହ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି। ଝାଟିମାଟି ନୂଆଣିଅଁା ଚାଳଛପର ଘରେ ବର୍ଷତମାମ ଜନଜାତି ସମ୍ପ୍ରଦାୟର ଲୋକମାନେ ବାସ କରୁଥିଲେ ହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଏମାନେ ଅଦ୍ୟାବଧି ବାସଗୃହ ଖଣ୍ଡେ ପାଇପାରିନଥିବା ଜଣାପଡିଛି। ସେହିପରି ଅଧିକାଂଶ ପରିବାରବର୍ଗଙ୍କ ନିକଟରେ ରାଶନକାର୍ଡ ଖଣ୍ଡେ ନଥିବାରୁ ଜନସାଧାରଣ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି। ଜଙ୍ଗଲରୁ ଲାଖ, ଝୁଣା, ମହୁ, ମହୁଲଫୁଲ, ଶାଳମଞ୍ଜି, କେନ୍ଦୁ, କେନ୍ଦୁପତ୍ର, ପାଣିଆଳୁ, ଜାଳେଣି କାଠ ଓ କାଠ କୋଇଲା ସଂଗ୍ରହ କରି ଜନଜାତି ସମ୍ପ୍ରଦାୟର ଲୋକମାନେ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଏମାନଙ୍କର ମୌଳିକ ସମସ୍ୟା ପ୍ରତି ପ୍ରଶାସନିକ ଅଧିକାରୀ ଓ ପଞ୍ଚାୟତ ଲୋକ ପ୍ରତିନିଧିମାନେ ଦୃଷ୍ଟି ନ ଦେଇ ଆଖି ବୁଜି ଦେଉଛନ୍ତି। ରାଜ୍ୟ ସରକାରଙ୍କ ବସୁନ୍ଧରା ଯୋଜନା, ଲୋକପ୍ରିୟ କାଳିଆ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପରି ଅନେକ ଯୋଜନାରୁ ଶହଶହ ଜନଜାତି ସମ୍ପ୍ରଦାୟର ଜନସାଧାରଣ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି। ସମ୍ପୃକ୍ତ ପରିବାର ଗୁଡିକ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଜୀବନଜୀବିକା ନିର୍ବାହ ପାଇଁ କଠିନ ପରିଶ୍ରମ କରି ଜଙ୍ଗଲରୁ ମୂଲ୍ୟବାନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ ହେଁ ସେମାନଙ୍କୁ ଉଚିତ ପାରିଶ୍ରମିକ ମିଳୁନଥିବା ସେମାନେ କୁହନ୍ତି। ଉଚିତ ଦରରେ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟା ନିମନ୍ତେ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବଜାର ବ୍ୟବସ୍ଥା କରାଗଲେ ଜନଜାତି ସମ୍ପ୍ରଦାୟର ଲୋକେ ବେଶ ଲାଭବାନ ହୋଇପାରିବେ ବୋଲି କୁହାଯାଉଛି। ଜନଜାତି ସମ୍ପ୍ରଦାୟର ଜନସାଧାରଣଙ୍କ ମୌଳିକ ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

Share