ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବ ଏଲ୍‌ଇଡି ଡିସ୍‌ପ୍ଲେ

ବ୍ରହ୍ମପୁର ଅଫିସ୍‌,୯।୮: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ(ଏମ୍‌କେସିଜି) ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟଠାରେ ଦୁଇଟି ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହାକୁ ଭୁବନେଶ୍ୱରଠାରୁ ଉଦ୍‌ଘାଟନ କରିଛନ୍ତି। ବ୍ରହ୍ମପୁରରେ ଉଦ୍‌ଘାଟନ ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ଅତିରିକ୍ତ ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ପାଢ଼ୀ, ଏମ୍‌କେସିଜି ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଅଧ୍ୟକ୍ଷ ତଥା ଡିନ୍‌ ଡା. ରାଧାମାଧବ ତ୍ରିପାଠୀ, ଅଧୀକ୍ଷକ ଡା. ଚରଣ ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ଡାକ୍ତର ଏବଂ ଅଧିକାରୀ ଉପସ୍ଥିତ ଥିଲେ । ଏହି ଡିସ୍‌ପ୍ଲେରେ ସ୍ବାସ୍ଥ୍ୟସେବା ସମ୍ପର୍କିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବ। ସରକାରଙ୍କ ନୂତନ ଯୋଜନାଗୁଡ଼ିକ ମଧ୍ୟ ଏଥିରେ ପ୍ରଦର୍ଶିତ ହେବ । ଫଳରେ ମେଡିକାଲକୁ ଆସୁଥିବା ରୋଗୀମାନେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଅଧ୍ୟକ୍ଷ ଡା. ତ୍ରିପାଠୀ ପ୍ରକାଶ କରିଛନ୍ତି । ଏହି ଅବସରରେ ଆଶୁ ଚିକିତ୍ସା ଏବଂ ବହିଃ ଚିକିତ୍ସା ବିଭାଗ ସମ୍ମୁଖରେ ଦୁଇଟି ଡିସ୍‌ପ୍ଲେ ସ୍ଥାପନ କରାଯାଇଛି ।