ସରକାରୀ ଶୋଷଣର ଶିକାର ହେଉଛନ୍ତି ଚାଷୀ

ବ୍ରହ୍ମପୁର ଅଫିସ୍‌,୬ା୧୨- ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି କୃଷି ଏବଂ କୃଷକ ଓ ଦେଶ ବଞ୍ଚାଅ ଡାକରା ଦେଇ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲା। କମିଟି ସଭାପତି ଗୋପାଳ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମସ୍ତ ଚାଷୀଙ୍କଠାରୁ ସରକାରୀ ଦରରେ ଧାନ କିଣିବା, ଭାଗ ଚାଷୀଙ୍କଠାରୁ ଧାନ କିଣିବା ବ୍ୟବସ୍ଥା କରିବା, ଅଦିନିଆ ବର୍ଷା ଏବଂ ବୁଲ୍‌ବୁଲ୍‌ ବାତ୍ୟା ଯୋଗୁ ଧାନର ଏଫ୍‌ଏକ୍ୟୁ ମାନକୁ ହଟାଇ ଧାନ କିଣିବା, କୃଷକମାନଙ୍କୁ ଋଣ ମୁକ୍ତ କରିବା, ଫସଲ ବୀମା ଟଙ୍କା ସମସ୍ତ କୃଷକଙ୍କୁ ପ୍ରଦାନ କରିବା, କାଳିଆ ଯୋଜନା ଟଙ୍କା ସମସ୍ତ ଚାଷୀଙ୍କୁ ଯୋଗାଇଦେବା, ଆଧାର ଲିଙ୍କ୍‌ କଟକଣା ଯୋଗୁ ରାଶନ୍‌ ପାଇବାରୁ ବଞ୍ଚିତ ଚାଷୀଙ୍କୁ ତୁରନ୍ତ ସାମଗ୍ରୀ ପ୍ରଦାନ, ଜଙ୍ଗଲ ଅଧିକାର ଆଇନ୍‌ କାର୍ଯ୍ୟକାରୀ ଆଦିବାସୀଙ୍କୁ ପଟ୍ଟା ଓ ଭୂମିହୀନ ଏବଂ ବାସହୀନଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ ଆଦି ଦାବି କରାଯାଇଥିଲା। ପରେ ଏନେଇ ଏକ ଦାବିପତ୍ର ଆର୍‌ଡିସିଙ୍କୁ ପ୍ରଦାନ କରାଯାଇଥିଲା। ଧାରଣାରେ ରାଜ୍ୟ ଉପସଭାପତି ଜଗନ୍ନାଥ ମିଶ୍ର ଉଦ୍‌ବୋଧନ ଦେଇ ଚାଷୀ ମାରଣନୀତି ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଚାଷ ଏବଂ ଚାଷୀ ଗଭୀର ସଂକଟ ଦେଇ ଗତି କରୁଛନ୍ତି ।
ଚାଷୀମାନେ ଆମତ୍ହତ୍ୟା କରୁଛନ୍ତି। ଅନ୍ୟପଟେ ବଜାରରେ ପରିବା ଏବଂ ଅନ୍ୟାନ୍ୟ ସାମଗ୍ରୀର ଦର ହୁହୁ ହୋଇ ବଢ଼ି ଚାଲିଛି। ସବୁ କ୍ଷେତ୍ରରେ ସାଧାରଣ ଜନତା ହିଁ ଆର୍ଥିକ କ୍ଷତି ସହୁଛନ୍ତି । ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ୍‌) ଜିଲା ସମ୍ପାଦକ କୈଳାସ ଷଡ଼ଙ୍ଗୀ, କୃଷକ ସଭା ଜିଲା ସମ୍ପାଦକ ପି.ହରିକୃଷ୍ଣ ରେଡ୍ଡୀ, ଯୁଗ୍ମ ସମ୍ପାଦକ ବସନ୍ତ ନନ୍ଦ, ବିଜୟ ବିଷୋୟୀ, ବାସୁଦେବ ଗୌଡ଼, ନୀଳମଣି ଗୁରୁ, ବିଭୁ ପାଣିଗ୍ରାହୀ, ବାବୁଲା ନାୟକ, ଶ୍ୟାମ ବେହେରା, କୃଷ୍ଣମୂର୍ତ୍ତି ପାତ୍ର, ସିଟୁ ନେତା ଯୁଧିଷ୍ଠିର ବେହେରା, ଲକ୍ଷ୍ମଣ ପାଢୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

Share