ସରକାରୀ ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଛାତ୍ରୀ

ବନ୍ତ, ୨୭।୧୦(ଡି.ଏନ୍‌.ଏ.)-ଭିନ୍ନକ୍ଷମ ପ୍ରମାଣପତ୍ରରେ ତଥ୍ୟଗତ ତ୍ରୁଟି ରହିବା ଯୋଗୁ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ସୁରେଶ ଚନ୍ଦ୍ର ଦ୍ୱିବେଦୀଙ୍କ ଝିଅ ବର୍ଷାରାଣୀ(୧୩) ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ସେ ଏବେ ନିଳୋକ ହରିହର ନୋଡାଲ ଉ.ପ୍ରା. ବିଦ୍ୟାଳୟରେ ୭ମ ଶ୍ରେଣୀରେ ପାଠ ପଢୁଛନ୍ତି। ଜନ୍ମରୁ କଥା କହିପାରୁ ନ ଥିବା ଏବଂ ସ୍ମୃତିଶକ୍ତି ହରାଇଥିବା ବର୍ଷାଙ୍କ ଭିନ୍ନକ୍ଷମ ପ୍ରମାଣପତ୍ରର ଆଇଡି ନମ୍ବର ଓଡି ୦୯୧୦୧୨୦୦୬୦୦୬୮୬୫୩। ଏହାର ଡେଟ୍‌ ଅଫ୍‌ ଇସ୍ୟୁ ୨୦୧୯ ଜାନୁୟାରୀ ୨୨ ତାରିଖ ଥିବା ବେଳେ ଭାଲିଡିଟି ଡେଟ୍‌ ୨୦୧୬ ନଭେମ୍ବର ୪ ଉଲ୍ଲେଖ ରହିଛି ା ଫଳରେ ଉକ୍ତ କାର୍ଡ କୌଣସି ସରକାରୀ ସହାୟତା କାର୍ଯ୍ୟରେ ଲାଗୁନାହିଁ ା ଏନେଇ ବର୍ଷାଙ୍କ ବାପା ଗତ ୧୪ ତାରିଖରେ ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ। ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ କୁହାଯାଇଥିଲା ା ସେଠାକୁ ସେ ଦୁଇ ଥର ଯାଇଥିଲେ ବି ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କ କାର୍ଡର କାର୍ଯ୍ୟକାଳ ପୂରି ଯାଇଥିବା କହି ଆଉ ଥରେ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ କହିଛନ୍ତି। ଅନ୍‌ଲାଇନରେ ଆବେଦନ କରିବା ପରେ ମାସକ ତଳେ ପାଇଥିବା କାର୍ଡର କାର୍ଯ୍ୟକାଳ ପୂରିଯିବା ଘଟଣାରେ ବର୍ଷାଙ୍କ ବାପା ସୁରେଶ ପ୍ରତିକ୍ରିୟା ପ୍ରକାଶ କରି ପ୍ରଶାସନ ତ୍ରୁଟି ସୁଧାରିବା ପରିବର୍ତ୍ତେ ତାଙ୍କ ଭଳି ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ଖଟୁଆଙ୍କୁ ପଚାରିବାରୁ କହିଛନ୍ତି, ଗୋଟିଏ କାର୍ଡର ଭାଲିଡିଟି ଅତିକମ୍‌ରେ ୩ ବର୍ଷ ରହିବା କଥା। ତେବେ ଏଥିରେ ତ୍ରୁଟି ହୋଇଛି। ଏହାକୁ ସଂଶୋଧନ କରାଯିବ ବୋଲି ସେ କହିଛନ୍ତି।