ସରକାରୀ ସହାୟତା ସ୍ବପ୍ନ

ବନ୍ତ, ୧୨।୭(ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାର ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେମାନଙ୍କୁ ରହିବା ପାଇଁ ଘର, ଚଳିବା ଲାଗି ଭତ୍ତା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଭଦ୍ରକ ଜିଲା ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ବରକୋଣା ଗ୍ରାମର ଦିବ୍ୟାଙ୍ଗ ପ୍ରଦୀପ ଜେନା(୪୨)ଙ୍କ ପାଇଁ ସରକାରୀ ସହାୟତା ସାତସପନ ପାଲଟିଛି। ପ୍ରମାଣପତ୍ର ଥାଇ ମଧ୍ୟ ସେ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଭତ୍ତା ପାଇବା ପାଇଁ ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ କୌଣସି ସୁଫଳ ମିଳୁନି ବୋଲି ସେ ପ୍ରକାଶ କରିଛନ୍ତି।
ବରକୋଣା ଗ୍ରାମର ମହେଶ୍ୱର ଜେନାଙ୍କ ପୁଅ ପ୍ରଦୀପ। ପିଲାବେଳୁ ସେ ପୋଲିଓ ରୋଗରେ ଆକ୍ରାନ୍ତ ହେବା ଫଳରେ ତାଙ୍କର ଦୁଇ ଗୋଡ଼ ଅଚଳ ହୋଇଯାଇଛି। ସେ ଚାଲିବାକୁ ସକ୍ଷମ ନ ଥିବାବେଳେ କୌଣସି କାର୍ଯ୍ୟ କରିପାରୁ ନାହାନ୍ତି। ଯେଉଁ ବୟସରେ ସେ ମା’ବାପାଙ୍କ ଦାୟିତ୍ୱ ନେବା କଥା ସେହି ସମୟରେ ସେ ବୃଦ୍ଧ ମାତାପିତାଙ୍କ ଉପରେ ନିର୍ଭରଶୀଳ। ବୃଦ୍ଧ ମା’ବାପା ଓ ସ୍ତ୍ରୀଙ୍କୁ ନେଇ ତାଙ୍କର ପରିବାର। ବଖରାଏ ଭଙ୍ଗା ଚାଳଛପର ଘରେ ୪ ପ୍ରାଣୀ ଜୀବନ ବିତାଉଛନ୍ତି। ଭଙ୍ଗା ଘରେ ଦିନ କାଟୁଥିବାବେଳେ ସରକାରଙ୍କ ପକ୍ଷରୁ ପକ୍କାଘର ଖଣ୍ଡିଏ ମିଳୁ ନାହିଁ। ସେହିପରି ଜମିବାଡ଼ି କିଛି ନାହିଁ। ବୃଦ୍ଧ ମହେଶ୍ୱର ପରଘରେ ମୂଲ ଲାଗିଲେ ପରିବାର ଚଳେ। ସବୁବେଳେ ଆର୍ଥତ୍କ ଦୁରବସ୍ଥା ଲାଗିରହିଛି। ଏଭଳି ସ୍ଥିତିରେ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ପ୍ରଦୀପ କହନ୍ତି, ୫ବର୍ଷ ତଳେ ଅଫ୍‌ଲାଇନରେ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲା। ସେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଭତ୍ତା ପ୍ରଦାନ କରାଯାଇ ନ ଥିଲା। ପରେ ୨୦୧୮ ମସିହାରେ ସେ ଅନ୍‌ଲାଇନରେ ଆବେଦନ କରିବାରୁ ପ୍ରମାଣପତ୍ର ପାଇଥିଲେ। ମାତ୍ର ଅଦ୍ୟାବଧି ତାଙ୍କୁ ଭତ୍ତା ପ୍ରଦାନ କରାଯାଇ ନାହିଁ। ଏ ସମ୍ପର୍କରେ ବିଡିଓ ରେବେକା ବିଲୁଙ୍ଗଙ୍କୁ ପଚାରିବାରୁ ଏସ୍‌ଇସିସି ତାଲିକାରେ ନାମ ଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପକ୍କାଘର ଯୋଗାଇ ଦିଆଯିବା ସହ ଟାର୍ଗେଟ ଆସିଲେ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।