ସରକାରୀ ସ୍କୁଲରେ ପ୍ରଥମ ଥର ଶିକ୍ଷକ-ଅଭିଭାବକ ବୈଠକ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟରେ ଘରୋଇ ସ୍କୁଲ ତୁଳନାରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଲଗାତର ଭାବେ ନିରୁତ୍ସାହଜନକ ଫଳାଫଳ ହେଉଛି। ଉପସ୍ଥାନ ହ୍ରାସ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ତେଣୁ ସରକାରୀ ଶିକ୍ଷାଦାନ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବାକୁ ସରକାର ପ୍ରୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ରାଜ୍ୟବ୍ୟାପୀ ପ୍ରଥମ ଥର ଲାଗି ସମସ୍ତ ସ୍କୁଲରେ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ଭଲ ରେଜଲ୍ଟ କରିବା, ଛାତ୍ରୀଛାତ୍ରଙ୍କ ସଫଳତା ହାର କିପରି ବଢ଼ିବ, ପିଲାଙ୍କ ଉପସ୍ଥାନ ବୃଦ୍ଧି ସାଙ୍ଗକୁ ଉତ୍ତମ ଶିକ୍ଷା ଗ୍ରହଣରେ ମାତାପିତାଙ୍କ ଭୂମିକା କ’ଣ ରହିବା ଦରକାର, ସେ ସବୁ ବୈଠକରେ ଆଲୋଚନା ହୋଇଥିଲା। ରାଜଧାନୀର କ୍ୟାପିଟାଲ ହାଇସ୍କୁଲରେ ଅନ୍ୟ ସ୍କୁଲ ଭଳି ପିଲାଙ୍କ ମା’ବାପା ଏକାଠି ହୋଇଥିଲେ। ବୈଠକରେ ଦୀର୍ଘ ସମୟ ଧରି ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ବିଶେଷକରି ଉପସ୍ଥାନରେ ବାଧା ନ ପହଞ୍ଚିବା ଏବଂ ପିଲାଙ୍କୁ ସ୍କୁଲ ତଥା ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ଲାଗି ମା’ବାପାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି କ୍ରମରେ ଖୋଦ୍‌ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ପୁରୀ ଜିଲା ଗୋପ ବ୍ଲକର ଏକ ସ୍କୁଲରେ ଅନୁଷ୍ଠିତ ଶିକ୍ଷକ-ଅଭିଭାବକ ବୈଠକରେ ଯୋଗଦେଇ ଆଗକୁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି।

Share