Categories: ଜାତୀୟ

ସରକାରୀ ସ୍କୁଲରେ ମଦ୍ରାସାର ପ୍ରାର୍ଥନା କରାଇ ପ୍ରଧାନ ଶିକ୍ଷକ ନିଲମ୍ବିତ

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ଜବରଦସ୍ତି ଛାତ୍ରୀଛାତ୍ରଙ୍କୁ ପ୍ରାର୍ଥନାରେ ସରସ୍ବତୀଙ୍କ ବନ୍ଦନା ବଦଳରେ ମଦ୍ରାସାର ପ୍ରାର୍ଥନା କରାଇଥିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପଲିଭିତ୍‌ରେ ଥିବା ସରକାରୀ ମାଧ୍ୟମିକ ସ୍କୁଲର ପ୍ରଧାନ ଶିକ୍ଷକ ଫୁରକାନ ଅଲି ଛାତ୍ରୀଛାତ୍ରଙ୍କୁ ଜବରଦସ୍ତି ମଦ୍ରାସା ପ୍ରାର୍ଥନା କରାଇଥିଲେ। ଯାହାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟ ହିନ୍ଦୁ ସଙ୍ଗଠନମାନେ କଡ଼ା ବିରୋଧ କରିଥିଲେ। ଏଥିସହ ପ୍ରଧାନ ଶିକ୍ଷକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାଅଧିକାରୀଙ୍କୁ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ଏହାପରେ ପଲିଭିତ୍‌ର ଜିଲାପାଳ ବୈଭବ ଶ୍ରୀବାସ୍ତବ ପ୍ରଧାନ ଶିକ୍ଷକ ଫୁରକାନ ଅଲ୍ଲୀଙ୍କ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ ଦେବା ସହ ତାଙ୍କୁ ନିଲମ୍ବିତ କରିଛନ୍ତି। ସରକାରୀ ସ୍କଲରେ ଏକ ସ୍ବତନ୍ତ୍ର ଧର୍ମର ପ୍ରାର୍ଥନା କରାଇବାରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜିଲାପାଳ କହିଛନ୍ତି। ଅନ୍ୟପଟେ ଫୁରକାନ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି, ସ୍କୁଲରେ ଅତ୍ୟଧିକ ପିଲା ମୁସଲିମ୍‌ ଥିବାରୁ ପ୍ରାର୍ଥନାରେ ସରସ୍ବତୀ ବନ୍ଦନା ସହ ମଦ୍ରାସା ପ୍ରାର୍ଥନା ମଧ୍ୟ କରାଯାଇଥାଏ।

Share