ସରକାରୀ ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ : ୮ ଜିଲାରୁ ଗିରଫ ହେଲେ ଆଉ ୧୬ ଦଲାଲ

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ସରକାରୀ ହସ୍ପିଟାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲଙ୍କ କବଳରୁ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍‌। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ରାଜ୍ୟର ବିଭିନ୍ନ ଡାକ୍ତରଖାନା, ମେଡିକାଲ କଲେଜ, ରକ୍ତଭଣ୍ଡାର ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଚଢ଼ାଉ ଜାରି ରହିଛି। ଶନିବାର ସୁଦ୍ଧା ୧୫୪ ଦଲାଲ ଧରାପଡିଥିବାବେଳେ ରବିବାର ୮ ଜିଲାରୁ ଆଉ ୧୬ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଯାଜପୁର ଆର୍‌ଟିଓରୁ ୨ଜଣ ଓ ନୂଆପଡ଼ା ଆର୍‌ଟିଓରୁ ୨ଜଣ, ନୟାଗଡ଼ ହସ୍ପିଟାଲରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୨, ମୟୂରଭଞ୍ଜରୁ ୧ ଓ ମେଡିକାଲ କଲେଜ ପରିସରରୁ ୫ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚଢ଼ାଉ ଓ ପଦକ୍ଷେପକୁ ଜୋର୍‌ଦାର କରିବା ପାଇଁ ଡିଜିପି ବି.କେ. ଶର୍ମା ସମସ୍ତ ଏସ୍‌ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିଦିନର ସ୍ଥିତି ସମ୍ପର୍କରେ ପୋଲିସ ମୁଖ୍ୟାଳୟକୁ ରିପୋର୍ଟ ଦେବାକୁ କୁହାଯାଇଛି।

Share