Categories: ଜାତୀୟ

ସରକାର ଗଠନ ଦାବି ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬ା୫(ପି.ଟି.): କେନ୍ଦ୍ର କ୍ୟାବିନେଟର ସୁପାରିସ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଷୋଡ଼ଶ ଲୋକ ସଭାକୁ ଭଙ୍ଗ କରିଛନ୍ତି। ଏଥିସହିତ ସପ୍ତଦଶ ଲୋକ ସଭା ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ନିର୍ବାଚନ କମିଶନ ଶନିବାର ରାଷ୍ଟ୍ରପତିଙ୍କୁ ଭେଟି ନବନିର୍ବାଚିତ ଏମ୍‌ପିମାନଙ୍କ ତାଲିକା ପ୍ରଦାନ କରିଛନ୍ତି। ନରେନ୍ଦ୍ର ମୋଦି ଏନ୍‌ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି। ମୋଦି ୩୫୩ ସଦସ୍ୟଙ୍କ ସମର୍ଥନ ଥିବା ଦାବିପତ୍ର ପ୍ରଦାନ କରିବା ପରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି।
ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସି ଷୋଡ଼ଶ ଲୋକ ସଭା ଭଙ୍ଗ ଲାଗି ସୁପାରିସ କରାଯାଇଥିଲା। ରାଷ୍ଟ୍ରପତି ଏହାକୁ ଗ୍ରହଣ କରିବା ସହ ଲୋକ ସଭା ଭଙ୍ଗ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମନ୍ତ୍ରୀ ପରିଷଦ ରାଷ୍ଟ୍ରପତିଙ୍କୁ ସମୂହ ଇସ୍ତଫା ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଉକ୍ତ ଇସ୍ତଫାପତ୍ରକୁ ଗ୍ରହଣ କରିବା ସହ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇବାକୁ ସେମାନଙ୍କୁ ଅନୁରୋଧ କରିଥିଲେ।
୨୩ ତାରିଖ ଭୋଟଗଣତି ପରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ସହ ଦୁଇ ନିର୍ବାଚନ କମିଶନର ଅଶୋକ ଲାଭାସା ଏବଂ ସୁଶୀଲ ଚନ୍ଦ୍ରା ରାଷ୍ଟ୍ରପତିଙ୍କୁ ଭେଟି ନୂଆ ଲୋକ ସଭା ସଦସ୍ୟମାନଙ୍କ ତାଲିକା ଥିବା ଇସିଙ୍କ ବିଜ୍ଞପ୍ତିର ଏକ ନକଲ ପ୍ରଦାନ କରିଥିଲେ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ୫୪୨ ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। ଭାଜପା ୩୦୩ ଆସନରେ ବିଜୟୀ ହୋଇଥିବାବେଳେ ଏହାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ମାତ୍ର ୫୨ ଆସନରେ ସୀମିତ ରହିଛି। ନିର୍ବାଚନର ସଫଳ ପରିଚାଳନା ଲାଗି ରାଷ୍ଟ୍ରପତି ତିନି ନିର୍ବାଚନ କମିଶନରଙ୍କୁ ଅଭିନନ୍ଦନ ଜଣାଇବା ସହ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ଭୋଟରମାନଙ୍କୁ ପ୍ରଶଂସା କରିଛନ୍ତି।
ଏନ୍‌ଡିଏ ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ରାତି ୮ଟାରେ ରାଷ୍ଟ୍ରପତିଙ୍କୁ ଭେଟି ପରବର୍ତ୍ତୀ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଅପରାହ୍ନରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ନବନିର୍ବାଚିତ ଏନ୍‌ଡିଏ ଏମ୍‌ପିମାନଙ୍କ ବୈଠକ ବସି ମୋଦିଙ୍କୁ ସର୍ବସମ୍ମତ କ୍ରମେ ସଂସଦୀୟ ଦଳ ନେତା ନିର୍ବାଚନ କରାଯାଇଥିଲା। ଆସନ୍ତା ୩୦ ତାରିଖରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଆଶା କରାଯାଉଛି।

Share