Categories: ଜାତୀୟ

ସରକାର ଗଠନ ପୂର୍ବରୁ ଅସୁସ୍ଥ ହେଲେ ସଞ୍ଜୟ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପୂର୍ବରୁ ଶିବସେନା ନେତା ଅସୁସ୍ଥ। ଶିବସେନାର ଟାଣୁଆ ନେତା ତଥା ଏମ୍‌ପି ସଞ୍ଜୟ ରାଉତ ସୋମବାର ମଧ୍ୟାହ୍ନରେ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ଲିଲାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ଥିବାରୁ ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରି ଦିଆଯାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କିଛି ଦିନରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା। ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଞ୍ଜୟ ଏଭଳି ସମୟରେ ଅସୁସ୍ଥ ହୋଇଛନ୍ତି, ଯେଉଁ ସମୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଶିବସେନାକୁ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ସନ୍ଧ୍ୟା ୬ଟାରେ ଶିବସେନା ନେତା ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୭ଟା ୩୦ରେ ଦଳ ସରକାର ଗଠନ ଲାଗି ନିଜର ଦାବି ଉପସ୍ଥାପନ କରିବ। ତେବେ ତାଙ୍କର ଏଭଳି ସମୟରେ ଅସୁସ୍ଥ ହେବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

Share