ବାରିପଦା ଅଫିସ, ୬ା୫- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ହଜାର ହଜାର ବେକାର ଯୁବତୀ ଯୁବକ ରହିଛନ୍ତି। ସେହିଭଳି କରୋନା ଯୋଗୁଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବ୍ୟକ୍ତିମାନେ ଜିଲାକୁ ଫେରୁଛନ୍ତି। ଫଳରେ ବହୁ ସଂଖ୍ୟକ ଯୁବତୀ ଯୁବକ ଆଗାମୀ ଦିନରେ ରୋଜଗାର ହରାଇ ବେକାରୀ ହୋଇ ଘରେ ବସି ରହିବେ। ଏହି ଯୁବତୀ ଯୁବକମାନଙ୍କୁ ରୋଜଗାରକ୍ଷମ କରାଇବା ସକାଶେ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମଙ୍ଗଳବାର ଜିଲାରେ ଥିବା ସରକାର ମୋତେ ରୋଜଗାର ଦିଅ ଅଭିଯାନ ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯାନ ପକ୍ଷରୁ ଦାବି କରାଯାଇଛି ଯେ, ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତି କରାଯାଇ ସେଠାରେ ଯୁବତୀଯୁବକମାନଙ୍କୁ ରୋଜଗାରକ୍ଷମ କରାଯାଉ। ସେହିଭଳି ଜିଲାରେ ଥିବା ପର୍ଯ୍ୟଟନସ୍ଥଳୀର ଉନ୍ନତି କଲେ ରାଜ୍ୟ ଓ ଦେଶ ବାହାରୁ ଲୋକ ଆସିବେ। ଏହା ଦ୍ୱାରା ଜିଲାର ଆୟ ବୃଦ୍ଧି ପାଇବ। ଏହି ପ୍ରତିନଧିମଣ୍ଡଳୀ ମଧ୍ୟରେ ଆବାହକ କଳିଙ୍ଗ କେଶରୀ ଜେନା, ଦଳିତ ଆଦିବାସୀ ମହାସଂଘ ତରଫରୁ ରାକେଶ ସିଂ, ଭଞ୍ଜସେନାର ଜିଲା ସଭାପତି ପିଣ୍ଟୁ ମାଇତି, ଭଞ୍ଜସେନା ଜିଲା ସଂଯୋଜକ ରାକେଶ ବେହେରା, କାର୍ଯ୍ୟକାରୀ ସଭାପତି କାଜୁନ ହାଁସଦା, ରାକେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।