ସରପଗଡ ଡ୍ୟାମ୍‌ରେ ୨ଟି ଗେଟ୍‌ ଦ୍ୱାରା ଜଳ ନିଷ୍କାସିତ

ଲେଫ୍ରିପଡା,୧୨।୯(ଡି.ଏନ.ଏ) -ଲଘୁଚାପଜନିତ ବର୍ଷାରେ ଲେଫ୍ରିପଡା ବ୍ଲକ୍‌ ଅନ୍ତର୍ଗତ ସରପଗଡ ଡ୍ୟାମ୍‌ରେ ପାଣି ଭର୍ତ୍ତି ହୋଇଛି। ଫଳରେ ଗୁରୁବାର ସକାଳେ ଦୁଇଗୋଟି ଗେଟ୍‌ ଖୋଲାଯାଇ ଇଛାନଦୀ ଦ୍ୱାରା ଜଳ ନିଷ୍କାସନ କରାଯାଉଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୩୦୭.୫୦ମିଟର ରହିଥିବା ବେଳେ ବର୍ତ୍ତମାନ ୩୦୭.୪୮ମିଟରରେ ଜଳ ସ୍ଥିର ରଖାଯାଇଛି। ଡ୍ୟାମ୍‌ର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଉପରମୁଣ୍ଡରୁ ଡ୍ୟାମ୍‌ ଭିତରକୁ ୭.୯୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ଡ୍ୟାମ୍‌ର ଜଳଧାରଣ କ୍ଷମତାରୁ ଅତ୍ୟଧିକ ପାଣି ହେବାରୁ ସୁରକ୍ଷାକୁ ନେଇ ନଦୀଦ୍ୱାରା ୭.୯୪ କ୍ୟୁସେକ୍‌ ଜଳ ନିଷ୍କାସିତ କରାଯାଉଛି। ଯେତିକି ପାଣି ପ୍ରବେଶ କରୁଛି, ସେତିକି ବାହାର କରାଯାଉଥିବାରୁ ଜଳଭଣ୍ଡାର ଜଳସ୍ଥିର ରହିଛି ବୋଲି ସୁନ୍ଦରଗଡ ଜଳସମ୍ପଦ ବିଭାଗର ବିଭାଗୀୟ ଯନ୍ତ୍ରୀ ଅଶ୍ୱିନୀ କୁମାର ପଟେଲ ସୂଚନା ପ୍ରଦାନ କରିଛନ୍ତି। ବିଭାଗ ପକ୍ଷରୁ ପୂର୍ବରୁ ତଳିଆ ଅଞ୍ଚଳର ଜନସାଧାରଣଙ୍କୁ ସତର୍କ, ସଚେତନ କରାଯାଇ ଗେଟ୍‌ ଖୋଲାଯାଇଥିଲା। ଡ୍ୟାମ୍‌ରୁ ଜଳ ଛଡାଯିବା ଦୃଶ୍ୟ ଦେଖିବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ବେଶ୍‌ ଗହଳି ଲାଗି ରହିଥିଲା। ଜଳ ନିୟନ୍ତ୍ରଣ ସକାଶେ ଜଳସମ୍ପଦ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ ଅଶ୍ୱିନୀ କୁମାର ପଟେଲ, କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ସା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରୁଛନ୍ତି।