ବନ୍ତଳା, ୨୦ା୪(ଡି.ଏନ.ଏ.) ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଅଧିକ କ୍ଷମତା ଦେବା ପରେ ରବିବାର ଅପରାହ୍ନରେ ବନ୍ତଳା ଥାନା ଅଞ୍ଚଳର ସମସ୍ତ ସରପଞ୍ଚଙ୍କୁ ଡକାଇ ଥାନା ଦାୟିତ୍ୱରେ ଥିବା ପ୍ରବୋଶନାଲ ଅଫିସର ସୌରବ ଓତା କଟକଣା ସମ୍ପର୍କରେ ସଚେତନ କରାଇଛନ୍ତି। ଗ୍ରାମାଞ୍ଚଳରେ ଚୋରା ମହୁଲି ମଦ ରନ୍ଧା ଓ ବିକ୍ରି ରୋକିବା, ବାହାରୁ କିଏ ଆସୁଛି ଓ କିଏ ଯାଉଛି ତାଙ୍କ ନାମ ପଞ୍ଜୀକୃତ କରି ଜିଲା ପ୍ରଶାସନଙ୍କୁ ଜଣାଇବା, ବିବାହ କାର୍ଯ୍ୟ ପାଇଁ ସାମାଜିକ ଦୂରତା ରଖି ୨୦ ଜଣଙ୍କୁ ଅନୁମତି ଦେବାକୁ ରାଜ୍ୟ ସରକାର ନୂଆ ନିୟମ କରିଛନ୍ତି। ସେହିପରି ଚାଷୀ ଓ ଚାଷ, ଚାଷ ସାମଗ୍ରୀ ଦୋକାନ, କୀଟନାଶକ ବିକ୍ରିକୁ କଟକଣାମୁକ୍ତା କରାଯାଇଛି। ଚାଷୀମାନେ ହାଟରେ ପନି ପରିବା ବିକ୍ରି କରିପାରିବେ। ବାହାରକୁ ପରିବା ଡାଲା ଗାଡ଼ିରେ ବିକ୍ରି ପାଇଁ ନେଇପାରିବେ। ସାମାଜିକ ଦୂରତା ରକ୍ଷା କରି ଜନସେବା କେନ୍ଦ୍ର ଖୋଲାଯାଇପାରିବ। ଏଥିସହ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟ ହୋଇପାରିବ। ତେବେ ସାମାଜିକ ଦୂରତ୍ୱକୁ ଅମାନ୍ୟ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରପଞ୍ଚମାନଙ୍କୁ ସଚେତନ କରାଯାଇଛି।