ସରବନ୍ତ ଗଁାଟି ଜଗତ୍ସିଂହପୁର ଜିଲାର ଏରସମା ମଣ୍ଡଳରେ ଅଛି। ଜିଲା ସଦର ମହକୁମା ଠାରୁ ବାଲିକୁଦା, ବୋରିକିନା ଓ ଗୋଡ଼ା ବଜାର ଦେଇ ସମୁଦ୍ର କୂଳକୁ ଲମ୍ବିଯାଇଛି ଏହି ପୀଠକୁ ରାସ୍ତା। ମହାପ୍ରଭୁ ବହୁ ପ୍ରାଚୀନ କାଳରୁ ଏଠାରେ ଉପାସିତ ହେଉଛନ୍ତି। ଐତିହ୍ୟ ଅଛି ନିଝାଡ଼ ବନସ୍ତରେ କନ୍ଧମାନଙ୍କର ଜନବସତି ସମୁଦ୍ର ଅଧ ମାଇଲିଏ ଦୂରରେ ଥିଲା। ଆମ୍ବଶାଳ ଜମିଦାରଙ୍କର ବିଶେଷ ପ୍ରଭାବ ନ ଥିଲା କନ୍ଧମାନଙ୍କ ଜନବସତି ଅଞ୍ଚଳରେ, ଯଦିଓ ତାଙ୍କର ଇଲାକା ଭିତରେ କନ୍ଧମାନେ ରହୁଥିଲେ ତଥାପି ତାଙ୍କର ବିଶେଷ କିଛି ଶାସନର ପ୍ରଭାବ ପଡୁ ନ ଥିଲା। ଥରେ ଜମିଦାର ଅନନ୍ତ ମଙ୍ଗରାଜ ଶିକାର କରୁ କରୁ ପଶିଯାଇଥିଲେ କନ୍ଧ ଇଲାକା ଭିତରକୁ। କନ୍ଧମାନଙ୍କର ଭେଣ୍ଡିଆଙ୍କ ଦିହରେ ଏହା ଗଲାନି। ରାଗିଗଲେ। ବିରୋଧ କଲେ। ଭେଟବରଠୁ ଆଉ ସିଆଡ଼ିିକି ଡିଅଁାଇ ଦେଲେନି। ଭେଟବର ଓ ଆଜିର ସରବନ୍ତ ଭିତରେ ସେମାନେ ଲୁଚେଇ ରଖିଥିଲେ ଅନେକ ଧନୁଶର। ଧନୁରେ ଶର ଚଢେଇ ସେମାନେ ଅନନ୍ତ ମଙ୍ଗରାଜଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ସାଙ୍ଗରେ ଯାଇଥିବା ପାର୍ଷଦମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଜନଶ୍ରୁତି ଅଛି ଏତେ ପରିମାଣରେ ଶର ସେମାନେ କାଠ ଫିରକରେ ତିଆରି କରି ଗୁପ୍ତରେ ରଖିଥିଲେ ଯେ, ତାହା ଏକ ବନ୍ତରେ ପରିଣତ ହୋଇଥିଲା। ସେଥିପାଇଁ ତା’ ନଁା ହୋଇଯାଇଥିଲା ସରବନ୍ତ। ଘମାଘୋଟ ଲଢେଇ ହେଲା, କିନ୍ତୁ କନ୍ଧ ଭେଣ୍ଡିଆମାନେ ଯୁଦ୍ଧରେ ପାରିଲେନି। ମଙ୍ଗରାଜେ ଶେଷରେ ତାଙ୍କୁ ପରାସ୍ତ କଲେ। ସେହି ଇଲାକାକୁ ନିଜ ରାଜ୍ୟରେ ମିଶାଇ ଦେଲେ। ସୁରକ୍ଷା ପାଇଁ ଗଡ଼ଟିଏ ପ୍ରତିଷ୍ଠା କଲେ, ନଁା ଦେଇଦେଲେ ଗଡ଼ହରିଶପୁର।
ସରବନ୍ତଠାରେ ଯୁଦ୍ଧ ବିଜୟ ସ୍ମୃତିରେ ପ୍ରତିଷ୍ଠା କରିଥିଲେ ମହାପ୍ରଭୁଙ୍କ ମନ୍ଦିର। ସେତେବେଳେ ଜମିଦାର ଖଞ୍ଜି ଦେଇଥିଲେ ୫୦ ଏକର ଚାଷଜମି। ଆଜି ଉପାସନା ଚାଲିଛି କିନ୍ତୁ ସେତିକି ପରିମାଣର ଚାଷଜମି ଆଉ ନାହିଁ । ମନ୍ଦିରରେ ମହାପ୍ରଭୁଙ୍କର ଏକ ବିଶାଳକାୟ ଶ୍ରୀବିଗ୍ରହଙ୍କୁ ପ୍ରତିଷ୍ଠା କରିଥିଲେ। ଏହି ବିଗ୍ରହମାନଙ୍କୁ ନେଇ ଅନେକ ବର୍ଷ ରଥଯାତ୍ରା ସମ୍ଭବ ହୋଇ ନ ଥିଲା। ତେଣୁ ପଣ୍ଡିତମାନଙ୍କୁ ଡାକି ବହୁ ବିଚାର ବିମର୍ଷ କରି ଶ୍ରୀପତିତପାବନଙ୍କୁ ମନ୍ଦିରରେ ପ୍ରତିଷ୍ଠା କରିଥିଲେ। ମନ୍ଦିରର ମୂଳ ବିଗ୍ରହଙ୍କୁ ରଥରେ ବିଜେ ନ କରାଇ ଶ୍ରୀପତିତପାବନଙ୍କୁ ଗୋଟିଏ ରଥରେ ବିଜେ କରାଇବାର ବ୍ୟବସ୍ଥା କରିଥିଲେ। ଆଜି ବି ଗୋଟିଏ ରଥରେ ଏଠାରେ ଶ୍ରୀପତିତପାବନ ରଥଯାତ୍ରାରେ ବିଜେ କରୁଛନ୍ତି। ଓଡ଼ିଶାରେ ଏହା ଏକମାତ୍ର ପୀଠ ଯେଉଁଠି ରଥଯାତ୍ରା ପ୍ରସିଦ୍ଧ ଶ୍ରୀପତିତପାବନ ଯାତ୍ରା ନାମରେ। ମହାପ୍ରଭୁ ଶ୍ରୀକ୍ଷେତ୍ରରେ ପତିତଉଦ୍ଧାର ପାଇଁ ତିନିରଥରେ ବଡ଼ଦାଣ୍ଡରେ ବିଜେ କରୁଥିଲା ବେଳେ ସରବନ୍ତରେ ଗୋଟିଏ ରଥରେ ପତିତଉଦ୍ଧାର ପାଇଁ ଶ୍ରୀପତିତପାବନ ଆଜି ବିଜେ କରୁଛନ୍ତି।
-ଡ. ସୁରେନ୍ଦ୍ର କୁମାର ମିଶ୍ର