ସରଳ ଜୀବନ

ଦ୍ୱିତୀ ଚନ୍ଦ୍ର ସାହୁ

ଦେଖିଲି ଜଣେ ବୟସ୍କ ମଣିଷ ମୁହଁରେ ଗାମୁଛା ଘୋଡେଇ ଗାଁ ଆଡକୁ ଚାଲିଛି। ହାତରେ ଖାଲି ଗୋଟେ ବାଡି। ସନ୍ଧ୍ୟା ଭ୍ରମଣରେ ଫେରୁଥିଲି ଘରକୁ।
ଲକ୍‌ଡାଉନ୍‌ ଜନିତ ଅବସାଦ ମେଣ୍ଟାଇବାକୁ ଘର ପଛ ପାଖ ରାସ୍ତାକୁ ବୁଲିବାକୁ ବାଛି ଥାଏ । ପାଖ ଏକ ଗାଁର ଲୋକ ହୋଇଥିବ ଭାବି ପଚାରିଲି- ‘ମଉସା! କୁଆଡେ ଯାଉଛ?’ ‘ନାଇଁ ଆଜ୍ଞା! ଏ ବଜାରକୁ ଯାଉଛି।
ମୋର ଖଇନି ସରିଗଲା ଆଜ୍ଞା ! ପାଟିରେ ଖଇନି ନ ଥିଲେ ଏବେ ଆଉ ଚଳୁନି !’ ଉତ୍ତର ଦେଲା ସେ।
କଥାକୁ ଲମ୍ବେଇବାକୁ ଯାଇ ପଚାରିଲି- ‘ତୁମେ ସବୁ ଧୂଆଁ ପିଉଛ ପରା ! ଆଉ ଖଇନି କି ପାଇଁ ଖୋଜୁଛ ?’
‘ନାଇଁ ଆଜ୍ଞା ! ସବୁବେଳେ ସେଟା ପିଇ ହେଉନି। ଇଟା ତ ବଜାରରେ ସୁବିଧାରେ ମିଳି ଯାଉଛି। ନେଇଗଲେ ପାଟିରେ ପକେଇଦେଲେ କାମ ସରିଲା !’
ଏମିତି ଉତ୍ତର ପାଇବା ପରେ ଟିକେ ଦରଦ ହୋଇ ପଚାରିଲି – ‘ଆଉ ଏ ଲକ୍‌ଡାଉନ୍‌ରେ ତୁମର ଗାଁରେ ଚଳିବା କିପରି? ବେଶି ଅସୁବିଧା କରିଦେଲା ମଉସା କରୋନା ସମସ୍ତଙ୍କୁ!’ ଭାବୁଥିଲି ବୁଢା ମଣିଷ ଆକ୍ତାମାକ୍ତା ହୋଇ ତା’ର ଦାରିଦ୍ର୍ୟର ଇସ୍ତାହାରକୁ ଖୋଲିବ। ତା’ର ପ୍ରତି ପୃଷ୍ଠାକୁ ପଢିବ ଗୋଟି ଗୋଟି !
ଆଉ ସେସବୁ ଶୁଣି ଆମଭଳି ଶିକ୍ଷିତ ମଣିଷ ଆହାଃ ପଦେ କହି ଖୁସିରେ ପହଁରିବ। ବୁଢା ସିଧା ସିଧା କହିଲା – ‘ନାଇଁ ବାବୁ ! ରୋଗ ଲାଗି ସିନା ଘରୁ ବାହାରିବା କଷ୍ଟ ହେଲା। ଆମର ପର୍ବପର୍ବାଣି ବନ୍ଦ ହୋଇଗଲା । ହେଲେ ଆମର କିଛି ଅସୁବିଧା ନାଇଁ! ସରକାର ତ ଚାଉଳ ଦେଲା। ପଇସା ବି ଦେଲା ଆଗରୁ। ଘରେ ଡଙ୍ଗର ତଳି ଖାଲୁଆ ଜମିର ପାଚି ଅଛି। ବାଡିରେ ପରିବାପତ୍ର। ଲେମ୍ବୁ ପାଇଁ ବି ଚିନ୍ତା ନାହିଁ। ଘରେ ତେନ୍ତୁଳି ଅଛି। ଚାର କୋଳି ବି ମିଳୁଛି। ସରଗି ମଞ୍ଜିକୁ ବି ଗୁଟଉଛୁ। ଏବେ ମହୁଲ ଫୁଲ ବି ଛିଡୁଛି। ତାକୁ ଗୁଟେଇ ରଖିଛୁ। ମହୁଲ ସରୁଛି କି ନାଇଁ ଆମ୍ବରେ ଆମ୍ବୁଲ ବି ତିଆରି କରୁଛୁ। ତା’ ପରେ ଆମ୍ବ ପାଚିଲେ ଚମ୍ପେଇତ, ଆମ୍ବଶଢା ହେବ। ଖାଇବା ତେଲ ପାଇଁ ଟୁଲ ମଞ୍ଜି ବି ଆଗକୁ ମିଳିବ। ଇଟାମଣେ ସରିବ କି ନାଇଁ ଡଙ୍ଗର ଚାଷ କରି ମାଣ୍ଡିଆ, ମକା, ଜହ୍ନା, ବାଜରା, କାଙ୍ଗୁ ଲଗେଇବାର ପାଳି। ସେ ଲାଗି ଡଙ୍ଗର ବି ସଜ କରୁଛୁ। ଆମକୁ ତିରୁବାଟୁ ନାଇଁ କା ! ସକାଳୁ ମାଇକିନାମାନେ ତୁମ ଗାଁକୁ ତେନ୍ତୁଳି, ଆମ୍ବୁଲ, ଚାର କୋଳି, ଭାଲିଆ ପାଣ୍ଡୁ, ପିତଳ କନ୍ଦା, ଲଙ୍ଗଳ କନ୍ଦା, ମୁନିଗାଁ ଶାଗ, ବରଡା ଶାଗ, ଗୁରୁଡି ଶାଗ ଇମିତିକା ଜିନିଷ ଧରି ବିକିବାକୁ ଆଣି ଏ ଛକରେ ବସିଗଲେ ସବୁ ସରିଯାଉଛି। ବେଳ ଟିକେ ଗଡିଲା ବେଳକୁ ପଳଉଛି। ସକାଳୁ ସକାଳୁ ଦୁକାନରୁ କ’ଣ ଟିକେ କିଣାକିଣି କରି ପଳେଇଗଲେ ଆଉ କିଛି ଲୁଡା ପଡୁନି। ଆମର ତୁମର ଭଳି ବେଶି ଲୁଡାନି ବାବୁ ! ଭାତ, ମାଣ୍ଡିଆ ଜାଉ ପାଖରେ କିସ ଟିକେ ତାଟିଆରେ ମିଳିଗଲେ ଖୁସି। ଖାଇ କି ଡଙ୍ଗର ପାହାଡ ଆଉ ଗାଁ ଭିତରେ ସରିଯାଉଛି ବେଳ ! ପରବ ହେଲେ କା ଆମର ଖର୍ଚ୍ଚ ବେଶି ! ସିଟା ତ ଏ କରୋନା ଲାଗି ବନ୍ଦ। ଆଉ କିସ ବାବୁ ଇମିତିକା ଚାଲିଛି। ବଞ୍ଚିବାକୁ ଚିନ୍ତା ନାଇଁ କା ଆମକୁ ! ‘ତାର ସରଳ ଅଥଚ ସଫା ଉତ୍ତର କିନ୍ତୁ ଚମକେଇ ଦେଲା। ବାଧ୍ୟ କଲା ନିଜକୁ ଚିନ୍ତା କରିବାକୁ।
କେତେ ବାସ୍ତବବାଦୀ ହୋଇ ବଞ୍ଚୁଛି’ ଜଙ୍ଗଲ ପାହାଡର ମଣିଷମାନେ ! ସ୍ବାଭାବିକ ଦିନରେ ଯେମିତି, କରୋନାଜନିତ ଲକ୍‌ଡାଉନ୍‌ରେ ବି ସେମିତି। ଫରକ କିଛି ନାହିଁ। ଅଳ୍ପରେ ଅନେକ ଭଳି ନିଜ ପାଖର ସମ୍ବଳକୁ ନେଇ ଜିଇପାରୁଛନ୍ତିି ଅତି ସହଜରେ। ଅଥଚ ଆମେ ଘରେ ଥିବା ମଣିଷକୁ ବହୁତ ଚିନ୍ତା। ଲକ୍‌ଡାଉନ୍‌ରେ ଆମର ଅଜସ୍ର ରୁଚି। ସକାଳ ପାହିଲେ ଆମେ ଖୋଜୁଛୁ ରେସିପି। ନୂଆ ନୂଆ କେବେ କରି ନ ଥିବା ଆଇଟମ ସବୁ ନେଟରୁ ଦେଖି ତିଆରି କରୁଛୁ। ତା’ପାଇଁ ଆବଶ୍ୟକ ଜିନିଷ ଲାଗି ଯେମିତି ହେଉ କୋଉ ଗଳା ବାଟ ଦେଇ ଦୋକାନକୁ ଯାଇ ଆଣିଲେ ଘରେ ଶାନ୍ତି। ଅବଶ୍ୟ ଏଇକ୍ରମରେ ପରିବାର ମଧ୍ୟରେ ଭାଗୀଦାରି, ସୁସମ୍ପର୍କ ସ୍ଥାପନ, ଅବସର ବିନୋଦନ ସର୍ବୋପରି ପାରିବାରିକ ମିଳନର ମହାର୍ଘ୍ୟ ସୁଖ ମିଳୁଛି। ହଜିଯାଉଥିବା ପାରିବାରିକ ଖୁସି ଫେରି ଆସିଛି। ବ୍ୟକ୍ତିଗତ ସମ୍ପର୍କ ବି ବଢିଛି। ଏକଥା ବି ଆପଣମାନେ କହି ପାରନ୍ତି ଡଙ୍ଗର ପାହାଡରେ ରହୁଥିବା ମଣିଷଙ୍କ ଜୀବନଶୈଳୀ ଏବଂ ଆମର ଜୀବନଚର୍ଯ୍ୟା ଅଲଗା ଅଲଗା। ତା’ର ତୁଳନାତ୍ମକ ଚିତ୍ର ଉପସ୍ଥାପନା କରିବା ଉଚିତ ନୁହେଁ। ଏକଥା ସତ। କିନ୍ତୁ ଆମେ ଯେଉଁ ମଣିଷମାନେ ଗାଁର ମାଟି କାଦୁଅରେ ବଢିଛୁ, ନଈନାଳର ବୋହୁଥିବା ପାଣିରେ ବାଳୁ୍‌ଙ୍ଗା ଗାଧୋଇଛୁ, କାଦୁଅମାଦୁଅ ହୋଇ ମାଛ ଧରିଛୁ, ଲଙ୍ଗଳ କଣ୍ଟି ଧରି ବିଲରେ ମାତିଛୁ, ପୂନେଇପରବରେ ମତପୁରିଆ ହୋଇଛୁ ସେମାନେ ଏବେକାର ପରିବର୍ତ୍ତିତ ରୂପରେ ବଞ୍ଚତ୍ବା ଶିଖିଗଲା ପରେ ସତରେ ଏଣିକି ଆଉ ଅଳ୍ପରେ ବଞ୍ଚିପାରୁଛୁ !
ଏତିକି କଥା କରିପାରୁନୁ ବୋଲି ଜୀବନଜୀବିକା ଦାୟରେ ପ୍ରବାସୀ ଫେରନ୍ତାମାନେ ଉତ୍‌ପାତିଆଣ ବଶତଃ ହେଉ କି ନିଜର ବଦଳେଇଥିବା ଭେକ ଦୃଷ୍ଟିରୁ ହେଉ ସଂଗରୋଧ କେନ୍ଦ୍ରରେ ଗଣ୍ଡଗୋଳ କରୁଛୁ। ମାତ୍ର ଚଉଦଦିନିଆର ସାମୟିକ ରହଣିକୁ ଗ୍ରହଣ କରିପାରୁନୁ। ଖାଦ୍ୟକୁ ପିଙ୍ଗି ବିଶୃଙ୍ଖଳା କରୁଛୁ। ଘର ଭିତରର ମଣିଷ ହୁଅନ୍ତୁ କି ସେ ପ୍ରବାସୀ ଘର ବାହୁଡାମାନେ ହୁଅନ୍ତୁ, ତଥାକଥିତ ସରଳ ଜୀବନକୁ କେତେ ଗ୍ରହଣ କରିପାରିଛୁ ! ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜୀବନଚର୍ଯ୍ୟା ଅପେକ୍ଷା ଜୀବନ ରଖିବା ବଡ କଥା। ବିଳାସବ୍ୟସନ ଅପେକ୍ଷା ବିଚାରବନ୍ତ ହେବା ଗୁରୁତ୍ୱ। ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇବା ଏବେ ପ୍ରମୁଖ ପ୍ରସଙ୍ଗ। ଅନ୍ତତଃ ଏତିକି କଥା ସେହି ନିଚ୍ଛକ ମଣିଷମାନଙ୍କଠାରୁ କିଛିଦିନ ପାଇଁ ହେଲେ ବି ଶିଖିବା ଆବଶ୍ୟକ। ନୁହେଁ କି !
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା,
ମୋ- ୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri