ସରଳ ହେବ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର, ୨୦ା୧୦ (ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡିକର ଆମ୍ବୁଲାନ୍ସ ସେବା ଗୋଟିଏ କଲ୍‌ ସେଣ୍ଟର ଦ୍ୱାରା ପରିଚାଳିତ ହେବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନରେ ଏ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କୌଣସି ଦୁର୍ଘଟଣା ଘଟିବାର ପରବର୍ତ୍ତୀ କେଇ ଘଣ୍ଟା ସମୟ ବହୁତ ମୂଲ୍ୟବାନ ହୋଇଥାଏ। ତେଣୁ ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ଚିକିତ୍ସା ପାଇବା ଅତ୍ୟନ୍ତ ଜରୁରୀ। ଦୁର୍ଘଟଣା ପରବର୍ତ୍ତୀ ୪୮ ଘଣ୍ଟା ତଥା ଗୋଲ୍ଡେନ ଆୱାର ମ୍ୟାନେଜମେଣ୍ଟ ପାଇଁ ଷ୍ଟାଣ୍ଡାର୍ଡ ଅଫ୍‌ ପ୍ରୋସିଜିଓର(ଏସ୍‌ଓପି) ଜାରି କରାଯାଇଛି। ଏ ନେଇ ଖୁବ୍‌ ଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ସ୍ବାସ୍ଥ୍ୟ ବିଭାଗ ଜାରି କରିବ। ବର୍ତ୍ତମାନ ୫୧୨ଟି ୧୦୮ ଆମ୍ବୁଲାନ୍ସ ଏବଂ ୧୯ ଦମକଳ ଆମ୍ବୁଲାନ୍ସ ଜରୁରିକାଳୀନ ପରିସ୍ଥିତି ଯୋଗାଇ ଦେଉଛନ୍ତି। ସେହିପରି ଜାତୀୟ ରାଜପଥଗୁଡିକରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ମଧ୍ୟ ପ୍ରତି ୫୦ କି.ମି.ରେ ଗୋଟିଏ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏହା ଛଡା ଅନ୍ୟାନ୍ୟ ସମାଜସେବୀ ସଂସ୍ଥା, ଘରୋଇ ହସ୍ପିଟାଲ ଏବଂ କର୍ପୋରେଟମାନଙ୍କ ଦ୍ୱାରା ଆମ୍ବୁଲାନ୍ସ ଯୋଗାଇ ଦିଆଯାଉଛି। ଏହିପରି ଭାବେ ଦେଖିଲେ ୧୫୬୨ଟି ଘରୋଇ ଆମ୍ବୁଲାନ୍ସ ରହିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ପ୍ରତ୍ୟେକ ଆମ୍ବୁଲାନ୍ସରେ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ରହିବ, ଯାହାଦ୍ୱାରା ଏହାର ଗତିବିଧି ଉପରେ ନିୟନ୍ତ୍ରଣ ଆଣିହେବ। ଆମ୍ବୁଲାନ୍ସ ସେବା କାର୍ଯ୍ୟରେ ବ୍ୟବହୃତ ଗାଡିକୁ ସମସ୍ତ ପ୍ରକାର ପରୀକ୍ଷା କରି ପଞ୍ଜୀକରଣ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

Share