ସରିଛି ବାଲିଯାତ୍ରା, ହେଲେ ଭରିନି ମନ

କଟକ ଅଫିସ, ୨୧।୧୧: ସରିଛି ବାଲିଯାତ୍ରା, ହେଲେ ଭରିନି ମନ। ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଥିଲେ ହେଁ ମହାନଦୀ ପଠା ଚଳଚଞ୍ଚଳ ରହିଛି। ଗୁରୁବାର ବାଲିଯାତ୍ରା ତଳ ପଡ଼ିଆରେ ଗୃହ ଉପକରଣ, ସାଜସଜ୍ଜା ସାମଗ୍ରୀ ଆଦି କିଣିବା ଲାଗି ଲୋକଙ୍କ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ବ୍ୟବସାୟୀମାନେ ଗାଡ଼ି ଯୋଗେ ଫେରୁଥିବା ଏବଂ ଦୋଳିଗୁଡ଼ିକୁ ଖୋଲାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି।

ତେବେ ଶେଷ ଦିନରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ ୯ ଦିନରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବା ଆକଳନ କରାଯାଇଛି। ବିଶେଷକରି ଫାଷ୍ଟଫୁଡ୍‌ ଦୋକାନ, ଏନ୍‌ଡିଆର୍‌ଏଫ୍‌ ଷ୍ଟଲ, ତାରକସି ସାମଗ୍ରୀ ମିଳୁଥିବା ଷ୍ଟଲ, ବୋଟିଂ ଏବଂ ଦୋଳି ଆଦିର ଲୋକମାନଙ୍କ ଗହଳି ହେଉଥିଲା। ବ୍ୟବସାୟୀମାନେ ନାନା ଅଫରର ଲୋଭ ଦେଖାଇ ଲୋକଙ୍କ ମନ କିଣୁଥିଲେ। ହେଲେ ଏସବୁପାଇଁ ପୁଣି ଆସନ୍ତା ବର୍ଷ ବାଲିଯାତ୍ରାକୁ ଅପେକ୍ଷା କରିବାକୁ ପଡ଼ିବ।

Share