କାମାକ୍ଷାନଗର, ୨୦।୫(ଡି.ଏନ୍.ଏ.) କୁହାଯାଏ ନାରୀ ସର୍ବସଂହା। ଦୁନିଆର ଯେତେ ଦୁଃଖକୁ ସେ ହସି ହସି ସହିଯାଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କାମାକ୍ଷାନଗର ଏନ୍ଏସି ୮ନଂ. ଓ୍ବାର୍ଡରେ ରହୁଥିବା କମଳା ରାଉଳ। ୨୧ବର୍ଷ ତଳେ ଚାକିରି ଖୋଜିବାକୁ ଯାଇ ନିଖୋଜ ହୋଇଗଲେ କମଳାଙ୍କ ମଝିଆ ପୁଅ। ୧୫ବର୍ଷ ତଳେ ରୋଜଗାର ଆଶାରେ ଘରୁ ଗୋଡ଼ କାଢ଼ିଥିବା ସାନ ପୁଅର ବି ପତ୍ତା ମିଳୁନି। ୧୦ବର୍ଷ ହେଲା ସ୍ବାମୀ ଆରପାରିରେ। ଏପଟେ ବେକରେ ବନ୍ଧା ହୋଇଛନ୍ତି ମାନସିକ ଅନଗ୍ରସର ଝିଅ। ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ, ସତରେ କ’ଣ ସମୟ ଜଣଙ୍କ ପ୍ରତି ଏତେ ନିଷ୍ଠୁର ହୋଇପାରେ। ହେଲେ ଏବେ ଭାଗ୍ୟ କଡ଼ ଲେଉଟାଇଛି। ଘରକୁ ଫେରି ଆସିଛନ୍ତି ମେଧାବୀ ମଝିଆ ପୁଅ। ଏହାପରେ ଅସଜଡ଼ା ଘର ପୁଣି ଥରେ ସଜାଡ଼ି ହୋଇଯିବ, ସେହି ଆଶା ଉଙ୍କିମାରିଛି କମଳାଙ୍କ ମନରେ।
ଜୀବନ ଯୁଦ୍ଧରେ କମଳାଙ୍କୁ ଦେବାକୁ ପଡ଼ିଛି ବାରମ୍ବାର ପରୀକ୍ଷା। ଅନେକ ଥର ତାଙ୍କ ଧୈର୍ଯ୍ୟର ପରୀକ୍ଷା ନେଇଛି ସମୟ। ୧୯୯୯ ମହାବାତ୍ୟା ଓଡ଼ିଶାକୁ ଦୋହଲାଇ ଦେଇଥିବାବେଳେ କମଳାଙ୍କ ଜୀବନରେ ମଧ୍ୟ ସୃଷ୍ଟି ହୋଇଥିଲା ଝଡ଼। ମେଧାବୀ ମଝିଆ ପୁଅ ରଞ୍ଜନ ଯୁକ୍ତ ୨ ବିଜ୍ଞାନରେ ପାସ୍ କରିବା ପରେ ଚାକିରି ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ଏହାପରେ ତାଙ୍କର କୌଣସି ଖୋଜ୍ ଖବର ମିଳିଲାନାହିଁ। ସେତିକିରେ ମଧ୍ୟ ସରି ନ ଥିଲା ଦୁଃଖ। ଏହା ପରେ କମଳାଙ୍କ ସାନପୁଅ ମଧ୍ୟ କେଉଁଆଡେ ଚାଲିଗଲେ। ଏଯାଏ ତାଙ୍କର ପତ୍ତା ମିଳୁନାହିଁ। ଏସବୁ ଭିତରେ ଆହୁରି ଦାରୁଣ ହେଲା ଭାଗ୍ୟ। ୧୦ବର୍ଷ ତଳେ ସ୍ବାମୀ ଗୌରାଙ୍ଗ ରାଉଳଙ୍କୁ ହରାଇଲେ କମଳା। ଗୌରାଙ୍ଗଙ୍କ ଆକସ୍ମିକ ମୃତ୍ୟୁ ପରେ ଦୋହଲିଗଲା ସମ୍ପୂର୍ଣ୍ଣ ପରିବାର। କମଳାଙ୍କ ବେକରେ ବାନ୍ଧି ହୋଇଥିଲେ ମାନସିକ ଅନଗ୍ରସର ସାନ ଝିଅ। ଏତେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଣ୍ଟାରେ ପଣତ ବାନ୍ଧି ଘର ସଜାଡ଼ିବା ଆରମ୍ଭ କଲେ ସେ। ରବିବାର ହଠାତ୍ ରଞ୍ଜନ ଘରେ ଆସି ପହଞ୍ଚତ୍ବା ପରେ ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ କମଳା। ଖୁସିରେ ଆତ୍ମହରା ହୋଇ ସେ କହୁଥିଲେ କେବଳ ଗୋଟିଏ କଥା ‘ସବୁ ଭଗବାନଙ୍କ ଲୀଳା’। ‘୨୧ବର୍ଷ ହେଲା ପୁଅ ବାଟକୁ ଚାହିଁ ରହିଥିଲି। ମନ କହୁଥିଲା କେବେ ନା କେବେ ପୁଅ ଫେରିବ। ଠାକୁରଙ୍କ ପାଖରେ ସବୁଦିନ ଗୁହାରି କରୁଥିଲି। ଶେଷରେ ଠାକୁର ଡାକ ଶୁଣିଛନ୍ତି। ପୁଅ ଘରକୁ ଫେରି ଆସିଛି। ସାନପୁଅ ମଧ୍ୟ ଦିନେ ଫେରିବ, ସେହି ଆଶାରେ ବଞ୍ଚତ୍ଛି ବୋଲି ଲୁହ ଛଳ ଛଳ ଆଖିରେ କହିଛନ୍ତି କମଳା। ଉଲ୍ଲେଖଯୋଗ୍ୟ, ରଞ୍ଜନଙ୍କ ବଡ଼ଭାଇ, ବଡ଼ ଭଉଣୀଙ୍କ ବିବାହ ଶେଷ ହୋଇଛି। ସେମାନେ ଖୁସିରେ ଘରସଂସାର କରି ରହିଛନ୍ତି। ଏବେ ରଞ୍ଜନଙ୍କ ଫେରିବା ପରେ ପରିବାରରେ ଖୁସି ହିଁ ଖୁସି।
ରଞ୍ଜନଙ୍କୁ ଉଦ୍ଧାର କରିଥିବା ମହାରାଷ୍ଟ୍ରସ୍ଥିତ ଶ୍ରଦ୍ଧା ରିହାବିଲିଟେଶନ ଫାଉଣ୍ଡେଶନର ସାମାଜିକ କର୍ମୀ ବାସ ବରାଜ, ଅଜୟ ଭାଡି, ଅଜୟ ରାନସୁଙ୍କ କହିବା କଥା, ଚାକିରି ଅନ୍ବେଷଣରେ ରଞ୍ଜନ ମହାରାଷ୍ଟ୍ର ଯାଇଥିବାବେଳେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ରାସ୍ତାରେ ବୁଲୁଥିବାବେଳେ ଭାୟଗଡ଼ ଜିଲାରୁ ତାଙ୍କୁ ଉଦ୍ଧାର କରିଥିଲେ ସଂସ୍ଥାର ସ୍ବେଚ୍ଛାସେବୀ। ଦୀର୍ଘ ୮ବର୍ଷ ଧରି ତାଙ୍କର ଚିକିତ୍ସା ଚାଲିଲା। ଧୀରେ ଧୀରେ ରଞ୍ଜନ ସୁସ୍ଥ ହେବାକୁ ଲାଗିଲେ। ତାଙ୍କର ସ୍ମୃତି ଶକ୍ତି ଫେରିଲା। ସେ ନିଜର ଘର ଠିକଣା ଓ ପରିଚୟ ଦେବା ପରେ ରବିବାର ତାଙ୍କୁ ଧରି କାମାକ୍ଷାନଗର ଆସିଥିବା ସେମାନେ କହିଛନ୍ତି।