ସରିଲା ‘ଆଗ୍ନେୟ’: ଝୁମାଇଲେ ବିନୋଦ ରାଠୋଡ୍‌

ଢେଙ୍କାନାଳ ଅଫିସ, ୧୩।୧୦ – ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଦୁଇଦିନ ଧରି ଚାଲିଥିବା ବଜରଙ୍ଗ କ୍ଲବର ବାର୍ଷିକ ଉତ୍ସବ ‘ଆଗ୍ନେୟ’ ଶନିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସମାରୋହର ପ୍ରମୁଖ ଆକର୍ଷଣ ଥିଲେ ବଲିଉଡ୍‌ର ଖ୍ୟାତନାମା କଣ୍ଠଶିଳ୍ପୀ ବିନୋଦ ରାଠୋଡ। ସେ ନିଜର କଣ୍ଠର ଯାଦୁରେ ଦର୍ଶକଙ୍କୁ ଝୁମାଇଥିଲେ। କୁନି କୁନି ପିଲାମାନେ ମଞ୍ଚ ଉପରକୁ ଯାଇ ତାଙ୍କ ସହ ପାଦରେ ପାଦ ମିଶାଇ ବେଶ୍‌ ନାଚିଥିଲେ। ଅନ୍ୟତମ କଣ୍ଠଶିଳ୍ପୀ ଚାନ୍ଦିନୀ ସିଂ ମଧ୍ୟ ତାଙ୍କ ଗୀତରେ ଶ୍ରୋତାଙ୍କ ମନ ଜିଣିଥିଲେ।
ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଏମ୍‌ପି ମହେଶ ସାହୁ, ସମ୍ମାନିତ ଅତିଥି ଶିଳ୍ପୋଦ୍ୟୋଗୀ ଚିତ୍ତରଞ୍ଜନ ମହାନ୍ତି, ମୁଖ୍ୟବକ୍ତା ଭାବେ ଉପଦେଷ୍ଟା ଗୋପାଳ ଚନ୍ଦ୍ର ପାତ୍ର ଯୋଗଦେଇଥିଲେ। ଏହି ଅବସରରେ ନରେନ୍ଦ୍ର ନାୟକଙ୍କୁ ‘ବଜରଙ୍ଗ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏଥିସହ ଉଭୟ କଣ୍ଠଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାକାରଙ୍କ ଦ୍ୱରା ଗଣେଶ ବନ୍ଦନା ସମେତ ବିଭିନ୍ନ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଅନୁଷ୍ଠାନର ସଭାପତି ଅମରେନ୍ଦ୍ର ସାମଲ, ସମ୍ପାଦକ ଶୁଭେନ୍ଦୁ ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।