ବ୍ରହ୍ମପୁର ଅଫିସ,୧୯ା୪-ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଆସିକା ଲୋକ ସଭା ଆସନ ଓ ଏହା ଅଧୀନ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି, ସାନଖେମୁଣ୍ଡି ଓ ସୋରଡ଼ା ବିଧାନସଭା କ୍ଷେତ୍ରରେ ଗୁରୁବାର ମତଦାନ ହୋଇଯାଇଛି। ଲୋକ ସଭା ନିର୍ବାଚନ ଲଢ଼ୁଥିବା ଭାଜପା ପ୍ରାର୍ଥିନୀ ଅନୀତା ଶୁଭଦର୍ଶିନୀ ପୋଲସରା ନିକଟ ଢ଼ୁଙ୍କାପଡ଼ା ଗ୍ରାମରେ ହୋଇଥିବା ବୁଥରେ ଭୋଟ ଦେଇଥିବା ବେଳେ ବିଜେଡି ପ୍ରାର୍ଥିନୀ ପ୍ରମିଳା ବିଶୋୟୀ ଆସିକା ନିକଟ ଚେରମାରିଆରେ ମତଦାନ କରିଥିଲେ। ତେବେ କଂଗ୍ରେସ ସମର୍ଥିତ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କ ନାମ ଭୁବନେଶ୍ୱରର ଭୋଟର ତାଲିକାରେ ଥିବାରୁ ସେ ମତଦାନ କରିପାରି ନ ଥିଲେ ।
ଅନ୍ୟ ୫ ପ୍ରାର୍ଥୀ ନିଜ ଅଞ୍ଚଳରେ ଭୋଟ ଦେଇଥିବା ଖବର ମିଳିଛି। ବିଜେଡି, ଭାଜପା, କଂଗ୍ରେସ ଓ ଅନ୍ୟ ଦଳର ବିଧାୟକ ପ୍ରାର୍ଥୀମାନେ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମତଦାନ କରିଥିଲେ ।
ପୋଲସରା ସହରାଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହୋଇଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀର ଗୋଟିଏ ବୁଥରେ ଇଭିଏମ ଭଙ୍ଗାରୁଜା ହୋଇଥିବା କୁହାଯାଇଛି। ଅନ୍ୟ ବିଧାନସଭା କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ହୋଇଥିବା ସରକାରୀ ସୂତ୍ରରୁ ଜଣାଯାଇଛି । ଅପରାହ୍ନ ୫ଟା ସୁଦ୍ଧା ପୋଲସରାରେ ୫୧.୫%, କବିସୂର୍ଯ୍ୟନଗର ୫୨%, ଖଲ୍ଲିକୋଟ ୫୧.୭%, ଆସିକା ୫୭.୬%, ସୋରଡ଼ା ୫୪.୬%, ସାନଖେମୁଣ୍ଡି ୫୫%, ହିଞ୍ଜିଳିରେ ୫୪.୮% ଏବଂ ସଂସଦୀୟ କ୍ଷେତ୍ରରେ ୫୩.୮% ମତଦାନ ହୋଇଛି ।
ସୂଚନାଯୋଗ୍ୟ, ଆସିକା ଲୋକ ସଭା ନିର୍ବାଚନ ଲଢ଼ୁଥିବା ୭ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମୁଦାୟ ୫୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି । ଅପରପକ୍ଷରେ ଏଥର ନିର୍ବାଚନରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ମୁକାବିଲା ହୋଇଛି । ଜାତୀୟ ଦଳ କଂଗ୍ରେସ ପ୍ରାର୍ଥୀ ନ ଦେଇ ସିପିଆଇକୁ ସମର୍ଥନ କରିଛି ।
ସ୍ବାଧୀନତା ପରେ ୧୯୫୧-୫୨ରୁ ୨୦୧୪ ସୁଦ୍ଧା ହୋଇଥିବା ୧୬ ଲୋକ ସଭା ନିର୍ବାଚନ ମଧ୍ୟରୁ ଆସିକା ସଂସଦୀୟ କ୍ଷେତ୍ରରୁ ୬ କଂଗ୍ରେସ, ୫ ବିଜେଡି, ୩ ଜନତା ଦଳ ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ଜଣେ ଲେଖାଏ ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀ ଏମ୍ପି ହୋଇଥିବା ନିର୍ବାଚନୀ ତଥ୍ୟ ରହିଛି। ଚଳିତ ବର୍ଷର ସପ୍ତଦଶ ଲୋକ ସଭା ନିର୍ବାଚନରେ ଆସିକା ଆସନରେ ପ୍ରଥମ କରି ୨ ମହିଳା ମଇଦାନକୁ ଓହ୍ଲାଇଛନ୍ତି। ଏସ୍ଏଚଜିର ମହିଳା ପ୍ରମିଳା ବିଶୋୟୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ଅନୀତା ଶୁଭଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଭାଜପା।