ସରିଲା ଚିନ୍ତା ଓ ଚେତନାର ୪୦ତମ ବୈଶାଖୀ ମହୋତ୍ସବ: ଶେଷଦିନରେ ଯାଦୁ କଲା ମନଛୁଅଁ। ସଙ୍ଗୀତ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଚିନ୍ତା ଓ ଚେତନା ପକ୍ଷରୁ ଗତ ୩ଦିନ ବ୍ୟାପୀ ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ୪୦ତମ ରାଷ୍ଟ୍ରୀୟ ବୈଶାଖୀ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀକାନ୍ତ ମିଶ୍ର, ମହାସଚିବ ସୁରେନ୍ଦ୍ର ଦାସ, ସହଦେବ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଏହି ଅବସରରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ଉପଲକ୍ଷେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସନ୍ଧ୍ୟା ଆଳତି ଅର୍ପଣ କରାଯାଇଥିଲା। ଚିନ୍ତା ଓ ଚେତନାକୁ ଓଡ଼ିଆ କଳା, ସଂସ୍କୃତିର ଗନ୍ତାଘରରେ ପରିଣତ କରିବାରେ ବିଜୁବାବୁଙ୍କର ପ୍ରମୁଖ ଭୂମିକା ରହିଥିବା ସୁରେନ୍ଦ୍ର ଦାସ ଏହି ଅବସରରେ କହିଥିଲେ।
ଉଦ୍‌ଯାପନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କଣ୍ଠସଙ୍ଗୀତ। ଲକ୍ଷ୍ମୀକାନ୍ତ ପାଲିତ, ଅର୍ଜୁନ ସାମଲଙ୍କ ଭଳି ଖ୍ୟାତନାମା କଣ୍ଠଶିଳ୍ପୀଙ୍କ କଣ୍ଠରୁ ନିସୃତ ପ୍ରତିଟି ସଙ୍ଗୀତ ଶ୍ରୋତାଙ୍କ ହୃଦୟକୁ ଛୁଇଁଥିଲା। କଣ୍ଠଶିଳ୍ପୀ ଅର୍ଜୁନ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ‘ସୁନା ସଂସାର’ର ‘ମୁଁ ହଜିଛି’ ଗୀତ ସହ ସ୍ବର୍ଗତ ବାସୁଦେବ ରଥଙ୍କ ନିର୍ଦ୍ଦେଶିତ ‘ଏମିତି ରାତି ସେ ତ ଅଭୁଲା ସ୍ମୃତି’ ଗୀତ ଗାଇଥିଲେ, ଯାହାକି ପ୍ରେକ୍ଷାଳୟରେ ଉପସ୍ଥିତ ଶ୍ରୋତାଙ୍କ ଷ୍ଟାଣ୍ଡିଂ ଓଭେସନ୍‌ ସାଉଁଟିଥିଲା। ଏହାପରେ କଣ୍ଠଶିଳ୍ପୀ ସାଗରିକା ଆଧୁନିକ ଓଡ଼ିଆ ସୁଗମ ସଙ୍ଗୀତ ‘ଶ୍ରାବଣରେ ଶ୍ରାବଣ’ ଗୀତ ଗାଇ କାର୍ଯ୍ୟକ୍ରମକୁ ପ୍ରେମ ରଙ୍ଗରେ ଭରିଦେଇଥିଲେ। ପରେ ପରେ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତଙ୍କ କଣ୍ଠରୁ ଭଜନ ‘ଶ୍ରୀହରି ଶ୍ରୀହରି’ ଭାବ ଓ ଭକ୍ତିର ପରିବେଶ ସୃଷ୍ଟି କରିଥିଲା। ଶିଳ୍ପୀଙ୍କୁ ବାଦ୍ୟଯନ୍ତ୍ର ତବଲାରେ ଶରତ ପାଣି, ଢୋଲକରେ ରବୀନ୍ଦ୍ର ବାରିକ, ବଂଶୀରେ ଏମ୍‌. ସୀମାଦ୍ରି, କି ବୋର୍ଡରେ ବରଦା ଓ ଗୀଟାରରେ କିରନ କୁମାର ସହଯୋଗ କରିଥିଲେ।

 

Share