ସରିଲା ଚୌଦ୍ୱାର ରୂପଯାତ୍ରା, ଭସାଣି

ଚୌଦ୍ୱାର,୧୭।୧୦(ଡି.ଏନ୍‌.ଏ.): ଚୌଦ୍ୱାର ରୂପଯାତ୍ରା ଓ ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମେଲଣ ପଡ଼ିଆରେ ମଙ୍ଗଳବାର ରାତିରେ ମେଲଣ କରିଥିବା ୪୦ଟି ମେଢ଼ ବୁଧବାର ସକାଳୁ ଭସାଣ ଶୋଭାଯାତ୍ରା ଆରମ୍ଭ କରିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାରୁ ମେଢ଼ଗୁଡ଼ିକ ପୂଜା କମିଟି ନିକଟରୁ ଛନ୍ଦା ଓ ଭସାଣ ଟିକେଟ ଗ୍ରହଣ କରିବା ପରେ ଯାତ୍ରା ପଡିଆରୁ ବାହାରି ତିନିକୋଣିଆ ଛକ, ମଙ୍ଗଳା ସାହି, ବଡ଼ ବଜାର, ତଳ ବଜାର ଛକ ଦେଇ ବିରୂପା ଘାଟକୁ ଯାଇଥିଲେ। ମେଢ଼ ଶୋଭାଯାତ୍ରାରେ ଢୋଲ, ମାଦଳ, ଘଣ୍ଟ, ପଶ୍ଚିମ ଓଡ଼ିଶାର ଶିଙ୍ଗ ବାଜା, ତାଳମୂଳି ଆଦି ପାରମ୍ପରିକ ବାଦ୍ୟ ବ୍ୟବହୃତ ହୋଇଥିଲା। ପ୍ରତି ମେଢ଼ର କର୍ମକର୍ତ୍ତା, ସାହି ମୁରବି, ଯୁବକସଂଘର ସଭ୍ୟ ଓ କମିଶନରେଟ ପୋଲିସ ପଦାଧିକାରୀମାନେ ନିଜ ନିଜ ଦାୟିତ୍ୱରେ ଥିବା ମେଢ଼କୁ ଭସାଣ ପାଇଁ ନଦୀଘାଟକୁ ନେଉଥିବା ଦେଖିବାକୁ ମିଳିଥିଲା। ଭସାଣି ଶୋଭାଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ରାତି ୧୨ଟା ସୁଦ୍ଧା ମେଢ଼ଗୁଡ଼ିକ ବିରୂପା ବ୍ୟାରେଜ ନିକଟରେ ତିଆରି କରାଯାଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜିତ ହୋଇଥିବା ଜଣାପଡିଛି।

Share