ସରିଲା ଦୁର୍ଗାପୂଜା: ଅପେକ୍ଷା ଆରବର୍ଷକୁ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ସରିଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ପୁଣି ବର୍ଷେ ପର୍ଯ୍ୟନ୍ତ ମା’ଙ୍କୁ ଅପେକ୍ଷା କରିବାର ସମୟ ଆସିଛି। ବୁଧବାର ବିଭିନ୍ନ ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ଏଥିପାଇଁ ଦୈତନଗରୀ(ଭୁବନେଶ୍ୱର ଓ କଟକ)ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମଙ୍ଗଳବାର ରାତିରୁ କେତେକ ସ୍ଥାନରେ ଭସାଣି ଉତ୍ସବ ଆରମ୍ଭ ହୋଇଥିବାବେଳେ ବାକି ସ୍ଥାନରେ ବୁଧବାର ଅନୁଷ୍ଠିତ ହେଉଛି। ଏହାକୁ ଦୃଷ୍ଟିରେ ରଖି କଟକରେ ୫୭ ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡିସିପିଙ୍କ ସହ ରାପିଡ ଆକ୍ସନ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ରାସ୍ତାରେ ସିସିଟିଭି ଲଗାଯିବା ସହ ଦିନ ୧୧ଟା ପରେ ମେଢ ଯାଉଥିବା ରାସ୍ତାରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜଧାନୀର ତିନିଟି ସ୍ଥାନରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ନୟାପଲ୍ଲୀ ପଡିଆରେ ୨୦ଟି ମେଢ଼ ଏକାଠି ହେବେ। ସେଠାରୁ ହିଁ ଭସାଣ ଉତ୍ସବ ଆରମ୍ଭ ହେବ।

Share