ସରିଲା ବାହାର ଚନ୍ଦନ ଯାତ୍ରା; ଆଜିଠୁ ଭିତର ଚନ୍ଦନ

ପୁରୀ ଅଫିସ, ୨୮।୫: ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃୀତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରା ସୋମବାର ଶେଷ ହୋଇଛି। ରବିବାର ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାରଠାରୁ ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ। ଚନ୍ଦନଯାତ୍ରା ଲାଗି ସୋମବାର ଅପରାହ୍ନରେ ଠାକୁର ବିଜେ ହୋଇଥିଲେ। ସିଂହଦ୍ୱାରରୁ ପଟୁଆରରେ ପଞ୍ଚୁପାଣ୍ଡବଙ୍କ ସହ ବିଶାଳ ଶୋଭାଯାତ୍ରାରେ ଚନ୍ଦନ ଚକଡାରେ ପହଞ୍ଚତ୍ଥିଲେ। ପରେ ଠାକୁର ଚାପକୁ ବିଜେ ହୋଇଥିଲେ। ଚାପରେ ମୁଦିରସ୍ତ ସେବକମାନେ ଶ୍ରୀଦେବୀ, ଭୂଦେବୀ, ମଦନମୋହନଙ୍କୁ ପ୍ରସାଦ ଲାଗି କରିଥିଲେ। ପରେ ଚାପ ଆରମ୍ଭ ହୋଇଥିଲା। ନନ୍ଦାରେ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଏବଂ ଭଦ୍ରାରେ ଶ୍ରୀରାମକୃଷ୍ଣ, ପଞ୍ଚୁପାଣ୍ଡବ, ନରେନ୍ଦ୍ର ପୁଷ୍କରିଣୀରେ ଏକ ଘେରା ବୁଲି ଜଳକ୍ରୀଡ଼ା କରିଥିଲେ। ଦିନ ଚାପ ସରିବା ପରେ ନନ୍ଦା ଓ ଭଦ୍ରା ଏକାଠି ଯୋଡ଼ି ହୋଇଥିଲେ। ରାମକୃଷ୍ଣ ମଦନମୋହନ ଚାପକୁ ବିଜେ କରିଥିଲେ। ମୁଦିରସ୍ତ ସେବକ ହଳଦୀ ପାଣି ପିଚକାରୀ ମାରି ଦିଅଁଙ୍କ ଶ୍ରୀପୟର ଧୋଇଥିଲେ। ଭିତରଚ୍ଛ ବନ୍ଦାପନା କରି ସାରିବା ପରେ ମୁଦିରସ୍ତ ଚାମର ଆଲଟ କରି ରାଜନୀତି ସମ୍ପନ୍ନ କରିଥିଲେ। ଦିଅଁ ଚନ୍ଦନ ମଣ୍ଡପକୁ ବିଜେ ହୋଇଥିଲେ। ସେଠାରେ ମଇଲମ ବେଶ ହେଲା ପରେ ଶୀତଳ ଭୋଗ ବଢ଼ିଥିଲା। ଝୁଲଣ କୁଞ୍ଜ ଲାଗି ହୋଇ ଠାକୁରଙ୍କ ବେଶ ହୋଇଥିଲା। ଦିଅଁଙ୍କୁ ମାଣ୍ଡୁଅ ଭୋଗ ସାରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

Share