ସରିଲା ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥ ଭାଙ୍ଗିଲେ ଲକ୍ଷ୍ମୀ ସାଆନ୍ତାଣୀ

ପୁରୀ ଅଫିସ, ୯।୭: ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଭକ୍ତଙ୍କ ଗହଳି। ଜନ୍ମବେଦିରେ ଲୀଳାଖେଳା କରୁଛନ୍ତି ଦାରୁବିଗ୍ରହ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅଂଶ ହେଉଛି ହେରାପଞ୍ଚମୀ ନୀତି। ସୋମବାର ଗୁଣ୍ଡିଚା ମନ୍ଦିରରେ ଏହି ନୀତି ସମ୍ପନ୍ନ ହୋଇଛି। ଏଥିଲାଗି ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା।
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀଙ୍କ ମାଜଣା ହୋଇଥିଲା। ଏହାପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ଘଣ୍ଟ, ଛତା, କାହାଳୀ ସହିତ ପଟୁଆରରେ ଗୁଣ୍ଡିଚା ଅଭିମୁଖେ ବାହାରିଥିଲେ। ନନ୍ଦିଘୋଷ ରଥ ନିକଟରେ ଲକ୍ଷ୍ମୀ ଠାକୁରାଣୀ ପହଞ୍ଚତ୍ବା ପରେ ପତିମହାପାତ୍ର ବନ୍ଦାପନା, ଚାମର ଆଲଟ, ଘସା ବିଡିଆ ଏବଂ ଦହି ପଟି ମଣୋହୀ କରିଥିଲେ। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ଲକ୍ଷ୍ମୀ ଠାକୁରାଣୀ ଜଗମୋହନକୁ ବିଜେ କରି ଜୟବିଜୟ ଦ୍ୱାର ନିକଟକୁ ଆସିଥିଲେ। ପତିମହାପାତ୍ର ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହିତ ଫେରି ନ ଥିଲେ। ଏହାପରେ ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ନନ୍ଦିଘୋଷ ରଥ ନିକଟକୁ ଯାଇଥିଲେ। ସେଠାରେ ରଥରୁ ଖଣ୍ଡିଏ କାଠ ଭାଙ୍ଗି ଫେରିଯାଇଥିଲେ।
ପୁରାଣରେ ବର୍ଣ୍ଣିତ ଅଛି ଯେ, ମହାପ୍ରଭୁ ଏବଂ ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କ ବିବାହ ସରିଥିଲା। ହେଲେ ଗଇଁଠାଳ ଫିଟି ନ ଥିଲା ଅର୍ଥାତ୍‌ ବିବାହ କର୍ମ ଅଧାରେ ରହିଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଜ୍ୱରରେ ପଡିଲେ ମହାପ୍ରଭୁ। ବିଭିନ୍ନ ପଥି ଖାଇ ଆରୋଗ୍ୟ ଲାଭ କଲେ। ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧର୍ମପତ୍ନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ନ ଜଣାଇ ଭାଇଭଉଣୀଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରି ଆଡ଼ପ ମଣ୍ଡପରେ ଅବସ୍ଥାନ କରିଛନ୍ତି। ତେଣୁ ବିରହ ବେଦନାରେ ଥିବା ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କୁ ଫେରାଇ ନେବା ଲାଗି ଆସିଥିଲେ। ମହାପ୍ରଭୁ ଦର୍ଶନ ଦେଲେ, କିନ୍ତୁ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଫେରିବା ଅନୁରୋଧକୁ ରଖିଲେ ନାହିଁ। ଏଥିରେ ଅଭିମାନ କରି ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଖଣ୍ଡିଏ କାଠ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡିଥିଲେ। ଫେରିବା ବାଟରେ ପନ୍ତି ଭୋଗ ଗ୍ରହଣ କରିଥିଲେ।

Share