ସରୁନି ସ୍ଲୁଇସ୍‌ ଗେଟ୍‌ କାମ, ମୁକୁଳା ନଦୀବନ୍ଧ

ଆରଡ଼ି, ୨୮।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକର କୁଳସାହି ନିକଟ ବୈତରଣୀ ନଦୀବନ୍ଧରେ ୮ ମାସ ତଳେ ଆରମ୍ଭ ହୋଇଥିବା ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସରି ନାହିଁ। ଏହି ନିର୍ମାଣ କାର୍ଯ୍ୟ ଲାଗି କଟାଯାଇଥିବା ପ୍ରାୟ ୪୦ ଫୁଟ ଲମ୍ବର ନଦୀବନ୍ଧ ମୁକୁଳା ପଡ଼ିଛି। ବର୍ଷାଋତୁ ପୂର୍ବରୁ ନିର୍ମାଣ ଶେଷ ନ ହେଲେ ବନ୍ୟାସ୍ଥିତିକୁ ମୁକାବିଲା କରିବା କାଠିକର ପାଠ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି।
ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ସ୍ଥାନୀୟ କୁଳସାହି ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ପ୍ରତିବର୍ଷ ବୈତରଣୀରେ ବନ୍ୟା ଆସିଲେ ଏହି ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେଉଛି। ଏହାର ପ୍ରତିକାର ଲାଗି ସେମାନ ଦାବି କରୁଥିଲେ ମଧ୍ୟ ପ୍ରଶାସନ ସ୍ତରରେ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ। ନଦୀବନ୍ଧ ନିର୍ମାଣ ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଉପଯୁକ୍ତ ତଦାରଖ ଅଭାବରୁ ବର୍ଷ ବର୍ଷ ଧରି ଏସବୁ ଅଞ୍ଚଳରେ ବନ୍ଧ ନିର୍ମାଣ କାର୍ଯ୍ୟ ସରିପାରୁ ନାହିଁ। କୁଳସାହି ଗ୍ରାମର ସାମାଜିକ କର୍ମୀ କପିଳଦେବ ବିଶ୍ୱାଳ କହିଛନ୍ତି, ନିର୍ମାଣାଧୀନ ଥିବା ସ୍ଲୁଇସ୍‌ ଗେଟ୍‌ ବର୍ଷାଦିନ ପୂର୍ବରୁ ସରିବ ବୋଲି ଆଶା କରାଯାଉ ନାହିଁ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ନିର୍ଦ୍ଦିଷ୍ଟ ଭାବେ କୌଣସି ସୂଚନା ମିଳୁ ନାହିଁ। ନଦୀବନ୍ଧ କାମ ଶେଷ ହୋଇ ନ ଥିବା ଅବସ୍ଥାରେ ବନ୍ୟା ଆସିଲେ ଏସବୁ ଅଞ୍ଚଳ ଅଧିକ ପ୍ରଭାବିତ ହେବ। ଏଣୁ ସ୍ଲୁଇସ୍‌ ଗେଟ୍‌ ଓ ତତ୍‌ସଂଲଗ୍ନ ରାସ୍ତା ନିର୍ମାଣ କାମ ତୁରନ୍ତ ସାରିବାକୁ ସେ ପ୍ରଶାସନକୁ ନିବେଦନ କରିଛନ୍ତି।
ଉଲ୍ଲେଖନୀୟ ଯେ, ଚଳିତବର୍ଷ ଜୁନ ୧୭ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୌସୁମୀ ବର୍ଷା ଲାଗିରହିଲେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ବନ୍ୟା ହେଲେ ଧାମନଗର ବ୍ଲକ ସମେତ ଚାନ୍ଦବାଲି ବ୍ଲକର ପ୍ରାୟ ୫୦ଖଣ୍ଡ ଗ୍ରାମର ଅଧିବାସୀ ବିପନ୍ନ ହେବେ। ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ସାଙ୍ଗକୁ ନଦୀବନ୍ଧ ମରାମତି କାର୍ଯ୍ୟ ତୁରନ୍ତ ଶେଷ ନ ହେଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ଭୁବନାନନ୍ଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି, କୁଳସାହିବାସୀଙ୍କ ଅଭିଯୋଗ ହସ୍ତଗତ ହୋଇଛି। ବର୍ଷାଦିନ ପୂର୍ବରୁ କାମ ସାରିବାକୁ ଠିକାଦାର ପ୍ରତିଶ୍ରୁତି ଦେଇଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।