Categories: ଜାତୀୟ

ସରୋଗେଟ୍‌ ମାଆ ପାଇଁ ନ ରହୁ କଟକଣା

ନୂଆଦିଲ୍ଲୀ,୬ା୨(ଆଇଏଏନ୍‌ଏସ୍‌): ସରୋଗେଟ୍‌ ମାଆ ହେବା ପାଇଁ କଟକଣା ରହିବା ଉଚିତ ନୁହେଁ। ଯେକୌଣସି ମହିଳା ଚାହିଁଲେ ସେମାନଙ୍କୁ ଏଥିପାଇଁ ଅନୁମତି ମିଳିବା ଉଚିତ ବୋଲି ରାଜ୍ୟ ସଭା ଚୟନ କମିଟି ସୁପାରିସ୍‌ କରିଛି। କେବଳ ସମ୍ପର୍କୀୟ ମହିଳା ସରୋଗେଟ ମାଆ ହୋଇପାରିବେ ବୋଲି ବିଲ୍‌ରେ କଟକଣା ରହିଥିଲା। ଏଭଳି କଟକଣାକୁ କମିଟି ନାପସନ୍ଦ କରିଛି। ୩୫ରୁ ୪୫ ବର୍ଷ ବୟସ ମଧ୍ୟରେ ଯେକୌଣସି ସିଙ୍ଗଲ ଭାରତୀୟ ମହିଳା (ଛାଡ଼ପତ୍ର ପାଇଥିବା କିମ୍ବା ବିଧବା) ଏବଂ ଭାରତୀୟ ବଂଶୋଦ୍ଭବଙ୍କୁ ସରୋଗେସୀ ପାଇଁ ଅନୁମତି ଦିଆଯାଉ ବୋଲି ଭାଜପା ନେତା ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି କହିଛି। ଜଣେ ସରୋଗେସୀ ପାଇଁ ଆଗ୍ରହ ପ୍ରକାଶ କରିବା ନିମନ୍ତେ ରହିଥିବା ୫ ବର୍ଷ ସମୟସୀମାକୁ ହଟାଇଦେବାକୁ କମିଟି ପ୍ରସ୍ତାବ ଦେଇଛି। ଏଥିସହିତ ସରୋଗେଟ ମାଆଙ୍କ କ୍ଷେତ୍ରରେ ବୀମା ସମୟସୀମା ୧୬ ମାସରୁ ୩୬ ମାସକୁ ବଢ଼ାଇବା ପାଇଁ କମିଟି ସୁପାରିସ କରିଛି। ପାର୍ଲାମେଣ୍ଟର ଶୀତ ଅଧିବେଶନରେ ସରକାର ସରୋଗେସୀ ବିଲ୍‌, ୨୦୧୯ ଆଣିଥିଲେ। ଅଗଷ୍ଟ ୫ରେ ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିଲା। ତେବେ ଏଥିରେ କେତେକ ସଂଶୋଧନର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସଭା ସଦସ୍ୟମାନେ କହିବା ପରେ ଏହାକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ସରକାର ରାଜି ହୋଇଥିଲେ। ବ୍ୟବସାୟିକ ସରୋଗେସୀ ବନ୍ଦ କରିବା ପାଇଁ ଏଭଳି ବିଲ୍‌ ଅଣାଯାଇଥିଲା। ସରୋଗେସୀ କ୍ଷେତ୍ରରେ ଚାଲିଥିବା ଅନୈତିକ କାର୍ଯ୍ୟ, ମହିଳାଙ୍କୁ ଶୋଷଣ, ସରୋଗେସୀରୁ ଜନ୍ମିତ ପିଲାଙ୍କୁ ପରିତ୍ୟାଗ କରିବା, ସରୋଗେଟ ମାଆ ଯୋଗାଡ଼ରେ ଦଲାଲଙ୍କ ସମ୍ପୃକ୍ତି ଆଦିକୁ ରୋକିବା ଲାଗି ସରକାର ଏଭଳି ବିଲ୍‌ ଆଣିଥିଲେ। ବିଲ୍‌ରେ ମୋଟ ୧୫ଟି ପରିବର୍ତ୍ତନ ପାଇଁ ସିଲେକ୍ଟ କମିଟି ସୁପାରିସ କରିଛି।

Share