ସଟ୍‌ଡାଉନ୍‌ କାର୍ଯ୍ୟକାରୀ ସଫଳ, ୩ ଜିଲାବାସୀଙ୍କୁ ଧନ୍ୟବାଦ: ଡିଜିପି

କଟକ ଅଫିସ,୨୬।୪: କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ତିନୋଟି ଜିଲା ଯଥା ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାରେ ଘୋଷଣା କରାଯାଇଥିଲା। ରବିବାର ସକାଳ ଏହା ଶେଷ ହୋଇଛି। ତେବେ ୬୦ ଘଣ୍ଟିଆ ସର୍ଟଡାଉନ୍‌ କାର୍ଯ୍ୟକାରୀ କରିବାରେ ପୋଲିସ ସଫଳ ହୋଇଛି ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି। ସେ ଟୁଇଟ କରିଛନ୍ତି ଯେ, ଡ୍ୟୁଟିରେ ନିୟୋଜିତ ସମସ୍ତ ପୋଲିସ କର୍ମଚାରୀଙ୍କୁ ମୁଁ ମୋର ଗଭୀର କୃତଜ୍ଞତା ଜଣାଉଛି। ସମ୍ପୃକ୍ତ ଜିଲା ପୋଲିସର ଏସ୍‌ପିଙ୍କ ନେତୃତ୍ୱରେ ଏହି ସର୍ଟଡାଉନ୍‌ ଭଲ ଭାବରେ କାର୍ଯ୍ୟକାରୀ କରାଯାଇଥିଲା। ପୋଲିସ କର୍ମଚାରୀଙ୍କ କଠିନ ପରିଶ୍ରମ, ନିଷ୍ଠାପରତା ଏବଂ ଆନ୍ତରିକତା ସେମାନଙ୍କୁ ଜିଲାବାସୀଙ୍କ ସମ୍ମାନ ଏବଂ ପ୍ରଶଂସା ଦେଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି। ଏଥିସହ ସେ ଏହି ତିନୋଟି ଜିଲାର ବାସିନ୍ଦାଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ପୋଲିସ ପ୍ରଶାସନ ଏବଂ ଜିଲା ପ୍ରଶାସନକୁ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଛନ୍ତି। ଭବିଷ୍ୟତରେ ମଧ୍ୟ ସାମାଜିକ ଦୂରତା ଏବଂ ଶୃଙ୍ଖଳାକୁ ଜାରି ରଖିବାକୁ ତିନି ଜିଲାର ବାସିନ୍ଦାଙ୍କୁ ସେ ନିବେଦନ କରିଛନ୍ତି।

Share