ସର୍ଟଶର୍କିଟରୁ ଟ୍ରକ୍‌ରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ବଡ଼ବିଲ, ତା ୪.୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି-ବଡବିଲ ରାଜ୍ୟରାଜପଥର କାଠ ଡିପୋ ନିକଟରେ ଶୁକ୍ରବାର ସକାଳେ ଏକ ଚଳନ୍ତା ଟ୍ରକରେ ନିଆଁଲାଗି ସମ୍ମୁଖଭାଗ ଜଳିଯାଇଛି। ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ଟଣ୍ଟୋସ୍ଥିତ ଏକ ଖଣିରୁ ଲୁହାପଥର ବୋଝେଇକରି ଟ୍ରକ ଭଦ୍ରାସାହି-ବଡବିଲ ୧୦ ନଂ ରାଜ୍ୟରାଜପଥ ଦେଇ ମାଟକାମବେଡାସ୍ଥିତ ପ୍ଲାଣ୍ଟ ଅଭିମୁଖେ ଯାଉଥିଲା। କାଠ ଡିପୋ ନିକଟରେ ହଠାତ୍‌ ଟ୍ରକ୍‌ର ସମ୍ମୁଖଭାଗରେ ନିଆଁ ଲାଗିଯାଇଥିଲା। ଖବରପାଇ ବଡବିଲ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ଟ୍ରକର ସମ୍ମୁଖଭାଗ ପୋଡିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।