ସର୍ଫରାଜଙ୍କୁ କ୍ଷମା ପ୍ରାର୍ଥନା କଲେ ପ୍ରଶଂସକ

ଲଣ୍ଡନ,୨୪।୬: ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଜୀବନ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ସପ୍ତାହରେ ଭାରତଠାରୁ ପରାସ୍ତ ହେବା ପରେ ସର୍ଫରାଜଙ୍କୁ ପ୍ରଂଶସକ ଓ ପୂର୍ବତନ କ୍ରିକେଟରଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରି କି କିଛି ପ୍ରଶଂସକ ମୋଟା ଘୁଷୁରି କହିଥିବାବେଳେ କେତେ ଜଣ ପୂର୍ବତନ କ୍ରିକେଟର ତାଙ୍କୁ ସବୁଠୁ ଅନ୍‌ଫିଟ୍‌ କ୍ରିକେଟର ବୋଲି କମେଣ୍ଟ କରିଥିଲେ। ହେଲେ ରବିବାର ସର୍ଫରାଜଙ୍କ ନେତୃତ୍ୱାଧୀନ ଦଳ ଦକ୍ଷିଣ ଆଫ୍ରିକାକୁ ବିଶ୍ୱକପ୍‌ରୁ ବିଦା କରିବା ସହ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି। ଏହାପରେ ପାକିସ୍ତାନ ଦଳକୁ ପ୍ରଶଂସକମାନେ ସମର୍ଥନ ଜଣାଇଛନ୍ତି। ମ୍ୟାଚ୍‌ ପରେ ସର୍ଫରାଜ ପ୍ରଶଂସକଙ୍କୁ ଅଟୋଗ୍ରାଫ ଦେଇଥିଲେ। ଏତିକି ନୁହେଁ, ପାକ୍‌ ଅଧିନାୟକ ମ୍ୟାଚ୍‌ ପୂର୍ବରୁ ଲଡର୍‌ସ ଗ୍ରାଉଣ୍ଡରେ ନିଜ ଫିଟ୍‌ନିସ ଉପରେ କଠିନ ପରିଶ୍ରମ କରିଥିଲେ। ଏହାର ଏକ ଭିଡିଓ ଟୁଇଟରରେ ଭାଇରାଲ ହେବା ପରେ ପାକ୍‌ ପ୍ରଂଶସକଙ୍କ ହୃଦୟ ତରଳି ଯାଇଛି। ସଙ୍ଗେସଙ୍ଗେ ପ୍ରଶଂସକମାନେ ନିଜ ମନ୍ତବ୍ୟ ଲାଗି କ୍ଷମା ପ୍ରାର୍ଥନ କରିଛନ୍ତି। ଜଣେ ପ୍ରଶଂସକ ‘ସର୍ଫରାଜ ଆମେ ଦୁଃଖିତ’ ଲେଖାଥିବା ଏକ ପୋଷ୍ଟର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ବେଳେ ଷ୍ଟାଣ୍ଡରେ ଦେଖାଇଥିଲେ। ପାକିସ୍ତାନ ଦଳ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭେଟିବ।

Share