Categories: ଖେଳ

ସର୍ଫରାଜଙ୍କ ବହିଷ୍କାର : ଅସମ୍ବେଦନଶୀଳ ଟୁଇଟ୍‌ ନେଇ ପିସିବି କ୍ଷମା ମାଗିଲା

ନୂଆଦିଲ୍ଲୀ, ୧୯।୧୦: ଏକ ଅସମ୍ବେଦନଶୀଳ ଟୁଇଟ୍‌ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶେଷରେ କ୍ଷମା ମାଗିଛି। ସର୍ଫରାଜ ଅହମ୍ମଦଙ୍କୁ ଟେଷ୍ଟ ଓ ଟି୨୦ ଅଧିନାୟକ ପଦରୁ ବହିଷ୍କାର କରିବା ପରେ ପିସିବି ତା’ର ଟୁଇଟର ହ୍ୟାଣ୍ଡଲ୍‌ରେ ଏକ ଭିଡିଓ ଅପଲୋଡ କରିଥିଲା। ଭିଡିଓରେ ପାକିସ୍ତାନ କ୍ରିକେଟ ଦଳ ଟ୍ରେନିଂ ସେସନ ଅବସରରେ ନାଚିବାର ଦେଖାଯାଇଛି। ପୁଣି ସର୍ଫରାଜଙ୍କ ବହିଷ୍କାର ପରେ ପାକିସ୍ତାନ ଦଳର ଟୁଇଟ ମୁମେଣ୍ଟ ବୋଲି ଫଟୋ କ୍ୟାପଶନରେ ଉଲ୍ଲେଖ କରାଯାଇଥିଲା। ଟୁଇଟରରେ ଜଣେ ଖବରଦାତା ପ୍ରଥମେ ଏହି ଭିଡିଓକୁ ଶେୟାର କରିଥିଲେ। ଏହି ଭିଡିଓ ଅପଲୋଡ କରିବାର ସମୟ ଠିକ୍‌ ନ ଥିଲା ବୋଲି ପିସିବି ତରଫରୁ କୁହାଯାଇଛି। ପିସିବି ଏହାର ଗୁରୁତ୍ନ ଉପଲବ୍ଧି କରି ଏହି ଟୁଇଟ୍‌କୁ ଡିଲିଟ୍‌ କରିଥିଲା। ପିସିବି ଏଥିପାଇଁ କ୍ଷମା ମାଗିଛି। ଏଥିପାଇଁ ଅବଶ୍ୟ ପିସିବି କ୍ରିକେଟ ପ୍ରଶଂସକଙ୍କ ଦ୍ୱାରା ଟ୍ରୋଲ ହୋଇଛି।
ପ୍ରକୃତରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପର ଠିକ୍‌ ବର୍ଷେ ପୂର୍ବରୁ ଏହାକୁ ଏକ ପ୍ରମୋଶନାଲ କ୍ୟାମ୍ପେନ୍‌ ପାଇଁ ଏହି ଭିଡିଓ ଅପଲୋଡ କରାଯିବାର କାର୍ଯ୍ୟକ୍ରମ ଥିଲା। ତେବେ ସର୍ଫରାଜଙ୍କୁ ବହିଷ୍କାର କରାଯିବା ଓ ନୂଆ ଅଧିନାୟକ ନିଯୁକ୍ତ କରିବା ବେଳେ ଏହି ଭିଡିଓକୁ ଅପଲୋଡ କରାଯିବା ଠିକ୍‌ ହୋଇ ନାହିଁ ବୋଲି ପିସିବି ହୃଦୟଙ୍ଗମ କରିବା ସହ ଶେଷରେ ଦୁଃଖ ପ୍ରକାଶ କରିଛି।
ଉଲ୍ଲେଖଥାଉ କି, ସର୍ଫରାଜଙ୍କ ବଦଳରେ ଆଝାର ଅଲି ଟେଷ୍ଟ ଓ ବାବର ଆଜମ ଟି୨୦ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ୨୦୧୬ରେ ସର୍ଫରାଜ ପାକିସ୍ତାନ ଟି୨୦ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ। ଏହାପରେ ୨୦୧୭ରେ ତାଙ୍କୁ ଦିନିକିଆ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା। ଏହି ବର୍ଷ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ତାଙ୍କୁ ୩ଟି ଯାକ ଫର୍ମାଟରେ ଅଧିନାୟକ ନିଯୁକ୍ତ କରାଯାଇଥିଲା। ସର୍ଫରାଜ ୧୩ ଟେଷ୍ଟ, ୫୧ ଦିନିକିଆ ଓ ୩୭ଟି ଟି୨୦ରେ ନେତୃତ୍ୱ ନେଇ ଯଥାକ୍ରମେ ୪, ୨୮, ୨୯ଟି ବିଜୟ ହାସଲ କରିଥିଲେ। ଏବେ ପାକିସ୍ତାନ ଅଷ୍ଟ୍ରେଲିଆ ଗସ୍ତ କରି ୨ଟି ଟେଷ୍ଟ ଓ ୩ଟି ଟି୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି।

Share