Categories: ବାଣିଜ୍ୟ

ସର୍ବକାଳୀନ ରେକର୍ଡ ସ୍ତରରେ ସୁନା

ନୂଆଦିଲ୍ଲୀ,୭-୧: ସୋମବାର ସୁନା ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ଏହି ସମୟରେ ୧୦ ଗ୍ରାମ ପିଛା ସୁନା ଦର ୪୧,୭୩୦ ଟଙ୍କା ସ୍ତରରେ ରହିଛି। ଗୋଟିଏ ଦିନରେ ସୁନା ୭୨୦ ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ଶେୟାର ବଜାର କାରବାର ମାନ୍ଦା ରହିବା ଯୋଗୁ ସୁନା ପ୍ରତି ଲୋକଙ୍କର ଚାହିଦା ବଢିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ରୁପା ଦାମ ମଧ୍ୟ ବଢିଛି। ରୁପା ଦର ୧,୧୦୫ ଟଙ୍କା ବଢିଥିବା ବେଳେ କିଲୋ ପ୍ରତି ଏହାର ଦର ୪୯,୪୩୦ ଟଙ୍କା ରହିଛି। ଏହାର ପୂର୍ବ ଟ୍ରେଡରେ ରୁପା ଦର କିଲୋ ପ୍ରତି ୪୮,୩୨୫ ଟଙ୍କା ରହିଥିଲା। ସେହିଭଳି ପୂର୍ବ ଟ୍ରେଡରେ ସୁନା ଦାମ ୪୧,୦୧୦ ଟଙ୍କାରେ ବନ୍ଦ ହୋଇଥିଲା। ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା, ଡଲାର ତୁଳନାରେ ଟଙ୍କା ମୂଲ୍ୟ ଖସିବା ଏବଂ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢିବା ଯୋଗୁ ଭାରତ ବଜାର ଉପରେ ଏହାର ପ୍ରଭାବ ପଡିଥିବା ଏଚ୍‌ଡିଏଫ୍‌ସି ସିକ୍ୟୁରିଟିର ପିସିିଜି ଆଡଭାଇଜରି ମୁଖ୍ୟ ଦେବାର୍ଷ ଭାକିଲ କହିଛନ୍ତି। ବିଶ୍ୱ ବଜାରରେ ସୁନା କାରବାର ଆଉନ୍ସ ପ୍ରତି ୧୫୭୫ ଡଲାର ଛୁଇଁଛି। ସେହିଭଳି ରୁପା ୧୮.୩୪ ପ୍ରତି ଆଉନ୍ସ ରହିଛି। ସୋମବାର ପୂର୍ବାହ୍ନରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୩୧ ପଇସା ଖସିଥିବା ଦେଖାଯାଇଥିଲା। ଫଳରେ ଡଲାର ତୁଳନାରେ ଟଙ୍କା ୭୨.୧୧ ସ୍ତରକୁ ଖସି ଆସିଥିଲା।

Share