ସର୍ବଦୀଳୟ ବୈଠକରେ କଂଗ୍ରେସର ଦାବି: ସମସ୍ତଙ୍କର ହେଉ କରୋନା ଟେଷ୍ଟ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା, କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି (ଏଏପି)ର ନେତାମାନେ ସାମିଲ ହୋଇଥିଲେ। ଏହି ବୈଠକରେ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ କଂଗ୍ରେସ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି। କରୋନା ଯାଞ୍ଚ କରିବା ସମସ୍ତଙ୍କ ଅଧିକାର, ତେଣୁ ସମସ୍ତଙ୍କର ଯାଞ୍ଚ କରାଯିବା ଉଚିତ୍‌ ବୋଲି କଂଗ୍ରେସ ପରାମର୍ଶ ଦେଇଛି। ଏଥିସହ କରୋନା ପ୍ରଭାବିତ ପରିବାର ଓ କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଲୋକଙ୍କୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏତଦ୍‌ ବ୍ୟତୀତ ଡାକ୍ତର ଓ ମେଡିକାଲ ଷ୍ଟାଫ୍‌ ସଂଖ୍ୟା ବଢ଼ାଇବା ପାଇଁ ଦାବି କରାଯାଇଛି। ଏଥିପାଇଁ ନର୍ସିଂ, ମେଡିକାଲ ଓ ଫାର୍ମା କଲେଜରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ସହାୟତା ନେବାକୁ କଂଗ୍ରେସ ପରାମର୍ଶ ଦେଇଛି। ଅପରପକ୍ଷେ ରେଲଓ୍ବେର ଏସି କୋଚ ବ୍ୟତୀତ ଷ୍ଟାଡିୟମ୍‌, ପ୍ରଦର୍ଶନୀ ସ୍ଥଳ ଓ ୟୁନିଭର୍ସିଟିର ହଷ୍ଟେଲକୁ କ୍ୱାରାଣ୍ଟାଇନ୍‌ ଓ ଆଇଶୋଲେଶନ୍‌ ସେଣ୍ଟର କରିବାକୁ ଶାହା ମଧ୍ୟ କଂଗ୍ରେସକୁ ପରାମର୍ଶ ଦେଇଛନ୍ତି।

Share