Categories: ଖେଳ

ସର୍ବପ୍ରଥମ ପଦକ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୧୫।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଡିସେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ (୧୫ ବର୍ଷ ଓ ୧୭ ବର୍ଷରୁ କମ୍‌ ବାଳିକା ଓ ବାଳକ)ପ୍ରତିଯୋଗିତାର ୩୩ତମ ସଂସ୍କରଣ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆୟୋଜନ ସହ ଓଡ଼ିଶା ଦଳ ପ୍ରଭାବୀ ପ୍ରଦର୍ଶନ କରି ପ୍ରଥମ ସବ୍‌ଜୁନିୟର ଜାତୀୟ ପଦକ ଜିତିବା ଲକ୍ଷ୍ୟରେ ରହିଛି। ଓଡ଼ିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏଶନ(ଓଏସବିଏ)ପକ୍ଷରୁ ଏହି ଜାତୀୟ ପ୍ରତିଯୋଗିତା ପାଇଁ ଏକ ୨୩ ଜଣିଆ ଦଳ ଗଠନ କରାଯାଇଛି। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଆୟୁଷ ପଟ୍ଟନାୟକ ଏବଂ ଶ୍ୱେତପର୍ଣ୍ଣା ପଣ୍ଡାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ ଆୟୁଷ ଓ ଶ୍ୱେତପର୍ଣ୍ଣା ନିଜ ନିଜର ଡବଲ୍ସ ଓ ସିଙ୍ଗଲ୍ସ ଇଭେଣ୍ଟର ମୁଖ୍ୟ ପଯର୍‌ୟାୟରେ ସିଧାସଳଖ ପ୍ରବେଶ କରିଛନ୍ତି। ବାରିପଦାର ଆୟୁଷ ବର୍ତ୍ତମାନ ୧୭ ବର୍ଷରୁ କମ୍‌ ଡବଲ୍ସରେ ୫୪୨ ପଏଣ୍ଟ ସହ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ(ବାଇ) ର଼୍ୟାକିଙ୍ଗରେ ପ୍ରଥମ ଏବଂ ୫୭୬ ପଏଣ୍ଟ ସହ ସିଙ୍ଗଲ୍ସରେ ଷଷ୍ଠ ସ୍ଥାନରେ ରହିଛନ୍ତି। କଟକର ଶ୍ୱେତପର୍ଣ୍ଣା ୧୫ ବର୍ଷରୁ କମ୍‌ ମିକ୍ସଡ ଡଲ୍ସସରେ ୩୧୦ ପଏଣ୍ଟ ସହ ବର୍ତ୍ତମାନ ଆଗରେ ରହିଛନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ଓଡ଼ିଶା ଦଳରେ ବାଳକ ବର୍ଗରେ ପାର୍ଥସାରଥୀ ମିଶ୍ର, ଅଜୟ ମାଝି, ସିଦ୍ଧାର୍ଥ ରାଜେଶ ପାଟିଲ ଓ ତହସିଫ ଖାନ ଏବଂ ବାଳିକା ବର୍ଗରେ ହର୍ଷିତା ରାଉତ ଏବଂ ଶ୍ରୁତି ସ୍ବାଇଁ ପ୍ରମୁଖ ରହିଛନ୍ତି। ଓଡ଼ିଶା ଯୁବ ଖେଳାଳି ନିଜ ଘରୋଇ ପରିବେଶରେ ଖେଳୁଥିବାରୁ ପଦକ ହାସଲ କରିବାରେ ସହାୟକ ହେବ ବୋଲି ପୂର୍ବତନ ରାଜ୍ୟସ୍ତରୀୟ ବିଜେତା ବିଭାସ ପରିଡ଼ା କହିଛନ୍ତି। ଓଡ଼ିଶାରେ ବ୍ୟାଡମିଣ୍ଟନର ପ୍ରୋତ୍ସାହନ ଏବଂ ବିକାଶ ଦିଗରେ ଏହି ସବ୍‌ଜୁନିୟର ପ୍ରତିଯୋଗିତା ପ୍ରମୁଖ ଭୁମିକା ଗ୍ରହଣ କରିବ ବୋଲି ଓଏସ୍‌ବିଏ ପ୍ରତିନିଧି ନିଲୀନ କୁମାର କହିଛନ୍ତି।

Share