Categories: ଖେଳ

ସର୍ବଭାରତୀୟ ଫୁଟ୍‌ବଲ: କେରଳ ଚାମ୍ପିୟନ

ନୟାଗଡ଼ ଅଫିସ,୯ା୧୨-  ୭୮୬ ୟୁଥ୍‌ କ୍ଲବ ସିଦୂରିଆ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୁଲ୍ୟରେ ସର୍ବଭାରତୀୟ ନୟାଗଡ଼ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ରବିବାର ଫାଇନାଲ୍‌ ମ୍ୟାଚ୍‌ ଟାଟା ଫୁଟବଲ ଏକାଡ଼େମୀ, ଜାମସେଦପୁର ଓ କେରଳ ଇଲେକ୍ଟ୍ରିସିଟି ବୋର୍ଡ଼ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏଥିରେ କେରଳ ଦଳ ୧-୦ ଗୋଲ୍‌ରେ ଟାଟାକୁ ହରାଇ ଚାମ୍ପିୟନ୍‌ ଟ୍ରଫି ହାସଲ କରିଛି। ପ୍ରଥମାର୍ଦ୍ଧରେ କେରଳ ଦଳର ୨୦ ନମ୍ବର ଖେଳାଳି ଏଲଡୋହୋସ ଜର୍ଜ ଏକ ଗୋଲ୍‌ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ଏହା ପରେ କୌଣସି ଗୋଲ୍‌ ସ୍କୋର ହୋଇ ନ ଥିଲା। ଖେଳ ପୂର୍ବରୁ ପଡ଼ିଆରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅତ୍ୟାଧୁନିକ ଡ୍ରିଲ ପରିବେଷଣ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲାପାଳ ଡ. ପୋମା ଟୁଡ଼ୁ, ଏସ୍‌ପି ଶଶିଭୂଷଣ ଶତପଥୀ, ପିଡି ସୁବାଷ ଚନ୍ଦ୍ର ରାୟ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। କେରଳ ଦଳକୁ ଚାମ୍ପିୟନ ଟ୍ରଫି ସହିତ ୩୦ ହଜାର ଟଙ୍କା, ଟାଟା ଦଳକୁ ରନର୍ସ ଅପ୍‌ ଟ୍ରଫି ସହିତ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। କେରଳ ଦଳର ୧୦ ନମ୍ବର ଖେଳାଳି ଭିକି ମ୍ୟାନ ଅଫ ଦି ମ୍ୟାଚ୍‌ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ମୁଖ୍ୟ ରେଫରି ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ଶେଷଦେବ ବେହେରା, କିର୍ତ୍ତୀରଞ୍ଜନ ସ୍ବାଇଁ, ଭୀମ ଛତ୍ରୀ ଲାଇନ୍‌ରେ ସହାୟତା କରିଥିଲେ। ଟୁର୍ନାମେଣ୍ଟର କ୍ଲବ ସଦସ୍ୟ ଶେଖ ୟୁସୁବ୍‌, ଅନୱର ଅଲ୍ଲୀ, ହଜରତ ଅଲ୍ଲୀ ଖାଁ, ଶେଖ ନଇମ, ସରିଫ ଖାଁ, ପ୍ରମୋଦ ପଟ୍ଟନାୟକ ଉପସ୍ଥିତଥିଲେ। ଶେଖ ଅବଦୁଲ ଖାଲିକ, ଆଶୁତୋଷ ମିଶ୍ର ଓ ଗଣେଶ୍ୱର ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ।

Share