ସର୍ବଭାରତୀୟ ହିନ୍ଦୀ ନାଟକ ପ୍ରତିଯୋଗିତା: ‘କଳାପରିଷଦ’ ହାତେଇଲା ୧୬ ପୁରସ୍କାର

ଢେଙ୍କାନାଳ ଅଫିସ, ୧୮।୧୧:  ପୁଣିଥରେ ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳ ଜିଲାର କଳାକାର। ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ସଂସ୍କାର ଭାରତୀ ନାଟ୍ୟାନୁଷ୍ଠାନର ନାଟ୍ୟକେନ୍ଦ୍ର ପରିସରରେ ୬ଦିନ ଧରି ଆୟୋଜିତ ସର୍ବଭାରତୀୟ ରଙ୍ଗୋଦୟ-୨୦୧୯ ନାଟକ ପ୍ରତିଯୋଗିତାରେ ନାଟ୍ୟାନୁଷ୍ଠାନ ‘କଳାପରିଷଦ’ର କଳାକାରମାନେ ଚମତ୍କାର ଅଭିନୟ କରିଛନ୍ତି। ବିଭିନ୍ନ ବିଭାଗରେ ଅନୁଷ୍ଠାନ ହାତେଇଛି ୧୬ଟି ପୁରସ୍କାର। ନାଟକ କ୍ଷେତ୍ରରେ ସାଧନା ପାଇଁ ଶତ୍ରୁଘ୍ନ ମାଟିଙ୍କୁ ‘କଳାମଣିଷ ସତ୍ୟନାରାୟଣ ଗୋଏଲ ସମ୍ମାନ’, ଚିତ୍ରକଳା ପାଇଁ ପ୍ରବୀର ମହାନ୍ତିଙ୍କୁ ‘ଡ. ୟଶପାଲ ସିଂ ସମ୍ମାନ’, ଓଡ଼ିଶୀ ନୃତ୍ୟ ପାଇଁ ଋତୁପର୍ଣ୍ଣା ରାଉତଙ୍କୁ ‘ସ୍ମିତା ପାଟିଲ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ଏଥିସହ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ହିନ୍ଦୀ ନାଟକ ‘ବାଂଶ କେ ଡଣ୍ଡେ ସେ ଆଜାଦୀ’ ପାଇଁ ଶ୍ରେଷ୍ଠ ନାଟକ ପ୍ରଯୋଜନା, ଶ୍ରେଷ୍ଠ ନାଟ୍ୟ ନିର୍ଦ୍ଦେଶକ ଭାବେ ଶତ୍ରୁଘ୍ନ ମାଟି, ଶ୍ରେଷ୍ଠ ନାଟ୍ୟ ରଚନାରେ ଦିଲୀଶ୍ୱର ମହାରଣା, ଶ୍ରେଷ୍ଠ ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରା, ଶ୍ରେଷ୍ଠ ଅଭିନେତ୍ରୀ ଋତୁପର୍ଣ୍ଣା ରାଉତ, ଶ୍ରେଷ୍ଠ ଚରିତ୍ର ଅଭିନୟରେ ଶ୍ରୀପଦ୍ମା ସାହୁ, ପାର୍ଶ୍ୱ ଅଭିନେତା ଭାବେ ମନ୍ମଥ ପଟ୍ଟନାୟକ, କିଶୋର ରାଉତଙ୍କୁ ପୁରସ୍କୃତ କରାଯାଇଛି।
ପଥପ୍ରାନ୍ତ ନାଟକ ‘ରୋତେ ରୋତେ କେହତି ହେ ନଦୀ’ରେ ଶ୍ରେଷ୍ଠ ନାଟ୍ୟ ରଚନା ପାଇଁ ଶତ୍ରୁଘ୍ନ ମାଟି, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଋତୁପର୍ଣ୍ଣା ରାଉତ ଏବଂ ଶ୍ରେଷ୍ଠ ନାଟ୍ୟ ପ୍ରଯୋଜନା ପାଇଁ ପୁରସ୍କୃତ କରାଯାଇଛି। ଏତଦ୍‌ବ୍ୟତୀତ ଶ୍ରେଷ୍ଠସ୍ଥାନ ହାସଲ କରିଥିବା ଅଧ୍ୟାତ୍ମିକ ପ୍ରଜ୍ଞାପନ ମେଢ଼ ‘ଚଲୋର ମନ, ଶ୍ରୀଜଗନ୍ନାଥ ଧାମ ପୁରୀ’କୁ ପୁରସ୍କୃତ କରାଯାଇଥିଲା। ନାଟ୍ୟାନୁଷ୍ଠାନର ଏହି ସଫଳତା ପାଇଁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି।