Categories: ଗଞ୍ଜାମ

ସର୍ବସାଧାରଣରେ ମଦ ବ୍ୟବହାର ନିଷ୍ପତ୍ତିକୁ ବିରୋଧ

ବ୍ରହ୍ମପୁର ଅଫିସ,୧୭ା୧୧- ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରଫେସର ଡ. ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଉପଦେଷ୍ଟା ପ୍ରଫେସର ଡ. ବ୍ରଜମୋହନ ସାସମଲ, ଆଇନ ପରାମର୍ଶଦାତା ଜିତେନ୍ଦ୍ର କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ରାଧାଚରଣ ନାୟକ, ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମଞ୍ଚାସୀନ ଥିଲେ। ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏଥିସହ ବ୍ରହ୍ମପୁର ଷ୍ଟେଶନ ମ୍ୟାନେଜରଙ୍କ ଜରିଆରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ରେଳମନ୍ତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ଦିଆଯାଇଥିବା ଦାବିପତ୍ର ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟ ସରକାର ମେଳା, ମହୋତ୍ସବ ଆଦିରେ ମଦ ବ୍ୟବସାୟ କରାଯାଇପାରିିବ ବୋଲି ନିଷ୍ପତ୍ତି ନେଇଛନ୍ତି। ମଦ କାରବାରକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ ମହିଳାମାନେ ବିରୋଧ କରୁଛନ୍ତି। ଏଭଳି ସ୍ଥିତିରେ ସରକାରଙ୍କ ଏପରି ବ୍ୟବସ୍ଥାକୁ ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ମଞ୍ଚ ପକ୍ଷରୁ କୁହାଯିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରି ଗଣ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବୈଠକରେ କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ, ସଂଗଠନ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, ଉପସଭାପତି ଗୋପାଳକୃଷ୍ଣ ପାଢୀଙ୍କ ସମେତ ଡା. ପ୍ରାଣଚାନ୍ଦ ପଣ୍ଡା, ହାଡିବନ୍ଧୁ ମାଳୀ, ପ୍ରମୋଦିନୀ ପଣ୍ଡା, ସ୍ବର୍ଣ୍ଣପ୍ରଭା ମିଶ୍ର, ଆଶୁତୋଷ ପାତ୍ର, ବିଚିତ୍ରାନନ୍ଦ ବେବର୍ତ୍ତା, ତ୍ରିନାଥ ପଣ୍ଡା, ଲଡୁକେଶ ମିଶ୍ର, ସୁବାସ ଚନ୍ଦ୍ର ସୁବୁଦ୍ଧି, ବିଜୟ କୁମାର ସାହୁ, ଇ.ଡିଲେଶୁ ରେଡ୍ଡୀ, ଶ୍ୟାମାପ୍ରସାଦ ପାଢୀ, ଗୌରୀ ଶଙ୍କର ପଟ୍ଟନାୟକ, ଜଗଦୀଶ୍ୱର ନାୟକ, ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।