ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ଓ ଛେପ ପକାଇବା ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ୍‌ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ଓ ଛେପ ପକାଇବା ଉପରେ କଟକଣା ଲଗାଇବାକୁ ସମସ୍ତ ରାଜ୍ୟକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଶନିବାର ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠି ପଠାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ତମ୍ବାଖୁ, ପାନ ଓ ସୁପାରୀ ଖାଇବା ଦ୍ୱାରା ଶରୀରରେ ଲାଳ ଅଧିକ ସୃଷ୍ଟି ହୋଇଥାଏ। ଫଳରେ ଲୋକମାନଙ୍କୁ ବାରମ୍ବାର ଛେପ ପକାଇବାକୁ ଇଛା ହୋଇଥାଏ। ତେବେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କରୋନା ତୀବ୍ର ଗତିରେ ବ୍ୟାପିବାର ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କରୋନା ଭାଇରସ୍‌ର ଭୟାବହତାକୁ ଦେଖି ପୂର୍ବରୁ ଆଇସିଏମ୍‌ଆର ତମାଖୁ ଦ୍ରବ୍ୟର ବ୍ୟବହାର ଓ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ଜନତାଙ୍କୁ ନିବେଦନ କରିଥିଲା। ସୂଚନା ମୁତାବକ କରୋନା ମହାମାରୀ ଆରମ୍ଭ ହେବା ସମୟରୁ ହିଁ ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ଓ ଛେପ ପକାଇବା ଉପରେ ବିହାର ଝାଡଖଣ୍ଡ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ହରିୟାଣା, ନାଗାଲାଣ୍ଡ ଓ ଆସାମ ଭଳି କେତେକ ରାଜ୍ୟ କଟକଣା ଜାରି କରିଥିବା ଜଣାପଡ଼ିଛି।

Share