ସର୍ବାଧିକ ଆକ୍ଟିଭ୍‌ କେସ୍‌ ମାମଲା: ଖୋର୍ଦ୍ଧାକୁ ଟପି ଶୀର୍ଷରେ ପହଞ୍ଚିଲା ଯାଜପୁର

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଯାଜପୁରରୁ ଆଉ ୧୪ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ଏହି ସଂଖ୍ୟା ୧୪୨ରେ ପହଞ୍ଚିଛି। ଅପରପକ୍ଷେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ସେଥିରୁ ଜଣେ ସୁସ୍ଥ ହୋଇଛନ୍ତି। ଏପରିସ୍ଥଳେ ଜିଲାରେ ଏବେ ୩୫ଟି ଆକ୍ଟିଭ୍‌ କେସ୍‌ ରହିଛି। ଏହା ଖୋର୍ଦ୍ଧା ଜିଲାର ଆକ୍ଟିଭ୍‌ କେସ୍‌ଠାରୁ ଅଧିକ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ସକାଳେ ଜିଲାରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଅପରାହ୍ନରେ ପୁଣି ୧୪ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦିନକରେ ୧୭ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଖୋର୍ଦ୍ଧାରେ ଏବେ ୧୯ଟି ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି ୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।

Share