Categories: ଖେଳ

ସର୍ବାଧିକ ଆୟ କରୁଥିବା ଆଥ୍‌ଲେଟଙ୍କ ଫୋର୍ବସ ତାଲିକାରେ ଏକମାତ୍ର ଭାରତୀୟ ସିନ୍ଧୁ

ନ୍ୟୁୟର୍କ, ୭।୮- ଜଣାଶୁଣା ପତ୍ରିକା ଫୋର୍ବସ ପକ୍ଷରୁ ପ୍ରକାଶ କରାଯାଇଥିବା ବିଶ୍ୱରେ ସର୍ବାଧିକ ଆୟ କରୁଥିବା ମହିଳା ଆଥ୍‌ଲେଟଙ୍କ ତାଲିକାରେ ବ୍ୟାଡ୍‌ମିଣ୍ଟନ ଷ୍ଟାର ପି.ଭି. ସିନ୍ଧୁ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ବାର୍ଷିକ ୫.୫ ନିୟୁତ ଡଲାର ଆୟ କରୁଥିବା ସିନ୍ଧୁ ୧୩ତମ ସ୍ଥାନରେ ରହିଛନ୍ତି। ଏହାର ଅର୍ଥ ଭାରତୀୟ ମୁଦ୍ରାରେ ତାଙ୍କ ବାର୍ଷିକ ଆୟ ୩୮.୮୩ କୋଟି। ସିନ୍ଧୁ ଭାରତର ସବୁଠୁ ଅଧିକ ଆୟକାରୀ ମହିଳା ଆଥ୍‌ଲେଟ। ସେ ଗତବର୍ଷ ପ୍ରଥମ ଭାରତୀୟ ଖେଳାଳି ଭାବେ ସିଜନ ଶେଷରେ ହେଉଥିବା ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଫାଇନାଲ୍ସ ଜିତିଥିଲେ ବୋଲି ଫୋର୍ବସ ପତ୍ରିକା ପକ୍ଷରୁ କୁହାଯାଇଛି। ଏହି ତାଲିକାରେ ଆମେରିକାର କିମ୍ବଦନ୍ତୀ ମହିଳା ଟେନିସ୍‌ ଖେଳାଳି ସେରେନା ଓ୍ବିଲିୟମ୍ସ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ବାର୍ଷିକ ଆୟ ସର୍ବାଧିକ ୨୯.୨ ନିୟୁତ ଡଲାର, ଯାହାକି ଭାରତୀୟ ମୁଦ୍ରାରେ ୨୦୬ କୋଟିରୁ ଊର୍ଦ୍ଧ୍ୱ। ତାଙ୍କ ପଛକୁ ଗତବର୍ଷର ୟୁଏସ୍‌ ଓପନ ଚାମ୍ପିୟନ ନାଓମି ଓସାକା (୨୪.୩ ନିୟୁତ ଡଲାର) ରହିଛନ୍ତି। ଖେଳାଳିଙ୍କୁ ମିଳୁଥିବା ଟୁର୍ନାମେଣ୍ଟର ପୁରସ୍କାର ରାଶି, ଦରମା, ବୋନସ, ବିଜ୍ଞାପନରୁ ହେଉଥିବା ଆୟ ଓ କୌଣସି ଇଭେଣ୍ଟରେ ଉପସ୍ଥିତ ରହିବା ବାବଦକୁ ୨୦୧୮, ଜୁନ୍‌ରୁ ଚଳିତବର୍ଷ ଏପର୍ଯ୍ୟନ୍ତ ମିଳିଥିବା ଆୟକୁ ଫୋର୍ବସ ହିସାବକୁ ନେଇ ଏହି ତାଲିକା କରିଛି।

Share