ସର୍ବାଧିକ ସର୍ଚ୍ଚ ପ୍ରଶ୍ନ ‘ସେଲ୍ଫ କେୟାର’

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଚିକିତ୍ସା ପାଇଁ ଔଷଧ ନ ଥିବାରୁ ଡାକ୍ତର, ବିଶେଷଜ୍ଞମାନେ ନିଜ ନିଜ ଶରୀରର ଯତ୍ନ ନେବା ଉପରେ ଗୁରୁତ୍ୱ ଦେଉଛନ୍ତି। ଉପଯୁକ୍ତ ସମୟରେ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା, ଠିକ୍‌ ସମୟରେ ଶୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହି ଭୟଙ୍କର ରୋଗର ପ୍ରତିଷେଧକ ନ ଥିବାରୁ ଏବେ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ କରିବାକୁ ବିଭିନ୍ନ ଉପାୟ ଆପଣାଇବା ଲାଗି ମଧ୍ୟ କୁହାଯାଉଛି। ତେବେ ଏ ସବୁ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ଲୋକେ ସର୍ଚ୍ଚ ଇଞ୍ଜିନ ଗୁଗଲକୁ ସାଥୀ କରିଛନ୍ତି। ବର୍ତ୍ତମାନ ସମୟରେ ‘ସେଲ୍ଫ କେୟାର’ (ସ୍ବଂୟ ଯତ୍ନ) କିପରି ନେଇପାରିବା ସେନେଇ ଲୋକେ ଗୁଗଲରେ ସର୍ଚ୍ଚ କରୁଛନ୍ତି। ଏହି ପ୍ରଶ୍ନ ବର୍ତ୍ତମାନ ସମୟରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଥିବା ନେଇ ଗୁଗଲ ପକ୍ଷରୁ ସୂଚନା ଦିଆଯାଇଛି।
ଗୁଗଲ ଏହାର ସର୍ବୋଚ୍ଚ ସନ୍ଧାନଗୁଡିକ ସମ୍ପର୍କରେ ସୂଚନା ଦେଇ କହିଛି, ଲୋକେ ଏବେ ଶାରୀରିକ ସୁସ୍ଥତା ସମ୍ପର୍କିତ ପ୍ରଶ୍ନ ଅଧିକ ମାତ୍ରାରେ ସର୍ଚ୍ଚ କରୁଛନ୍ତି। ସେଥିମଧ୍ୟରେ ସେଲ୍ଫକେୟାର, ବ୍ରିଦିଂ ଏକ୍ସରସାଇଜ୍‌ ବା ଶ୍ୱାସକ୍ରିୟାଜନିତ ବ୍ୟାୟାମ, ମେଡିକେଶନ, କିପରି ମନକୁ ଶାନ୍ତ ରଖିବା, ଟାଇମ୍‌ ପାସ୍‌ କରିବାର ଉପାୟ ଆଦି ଅଧିକ ଥର ସର୍ଚ୍ଚ ଲିଷ୍ଟରେ ରହିଛି। କରୋନା ଯୋଗୁ ସୀମିତ ସ୍ଥାନ ମଧ୍ୟରେ ଜୀବନ ଅଟକି ଯାଇଥିବାରୁ ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି। ଏସବୁ ଯେପରି ସ୍ବାସ୍ଥ୍ୟ ଉପରେ ପ୍ରଭାବ ନ ପକାଏ, ସେଥିପ୍ରତି ଅଧିକାଂଶ ଲୋକେ ସଚେତନ ହେବାକୁ ଚେଷ୍ଟା କରୁଛନ୍ତି। ତେଣୁ ସେମାନଙ୍କ ମନରେ ଆସୁଥିବା ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଗୁଗଲରେ ସର୍ଚ୍ଚ କରୁଛନ୍ତି। ସେହିପରି ନିଜକୁ କିପରି ସଙ୍ଗଠିତ କରିହେବ, ଘର ସଜାଇବା ଶୈଳୀ ମଧ୍ୟ ଏହି ସର୍ଚ୍ଚ ତାଲିକାରେ ରହିଛି।

Share