Advertisement

ସର୍ବ ପ୍ରଥମେ କାହିଁକି ଗଣେଶଙ୍କୁ ପୂଜା କରାଯାଏ

ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ପୁଜା କରିବାର ବିଧି ରହିଛି। କାରଣ ଗଣେଶଙ୍କର ଅନ୍ୟନାମ ହେଉଛି ବିଘ୍ନବିନାଶକ। ଅର୍ଥାତ୍‌ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଯଦି ଗଣେଶଙ୍କର ପୂଜା କରାଯାଏ ତେବେ ସମସ୍ତ ବିଘ୍ନ ବିନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶିବ ପୁରାଣରେ ବି ଏହାକୁ ନେଇ ବର୍ଣ୍ଣନା ରହିଛି। ଏହି ପୁରାଣ ଅନୁଯାୟୀ ଥରେ ସମସ୍ତ ଦେବତା ଭଗବାନ ଶିବଙ୍କ ପାଖକୁ ଆସି ଗୁହାରି କରିଥିଲେ କି ଦେବତାଙ୍କ ମଧ୍ୟରେ ଜଣଙ୍କୁ ମୁଖିଆ ଭାବେ ଚୟନ କରାଯାଉ। ଶିବ ମଧ୍ୟ ଦେବତାଗଣଙ୍କ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। ଶିବ କହିଥିଲେ ଯିଏ ସର୍ବ ପ୍ରଥମେ ପୃଥିବୀକୁ ୩ଥର ପରିକ୍ରମା କରିବେ ସେହି ଦେବତାଙ୍କୁ ସର୍ବ ପ୍ରଥମେ ପୂଜା କରାଯିବା ସହ ତାଙ୍କୁ ଦେବତାଙ୍କର ସ୍ବାମୀ ଭାବେ ପରିଗଣିତ କରାଯିବ। ତେବେ ଗଣେଶଙ୍କ ବାହନ ମୂଷିକ ହୋଇଥିବା ବେଳେ ସେ ବହୁ ଧୀର ବେଗରେ ଗତି କରିଥାଏ। ତେଣୁ ଗଣେଶ କେବେବି ଶୀଘ୍ର ପୃଥିବୀ ପରିକ୍ରମା କରିବାରିବେ ନାହିଁ ବୋଲି ଭାବିଥିଲେ। ଏତିକିବେଳେ ସେ ତାଙ୍କର ବୁଦ୍ଧି ଖଟାଇ ମାତା ପାର୍ବତୀ ଓ ପିତା ମହାଦେବଙ୍କ ଚାରିପଟେ ୩ ଥର ବୁଲି ଆସି ହାତଯୋଡି ଦେବତାମାନଙ୍କ ଆଗରେ ଠିଆ ହୋଇ ଯାଇଥିଲେ। ଆଉ ଏହା ଦେଖିବା ପରେ ଶିବ କହିଥିଲେ ତୁମଠାରୁ ଚତୁର ବା ବୁଦ୍ଧିମାନ ଏହି ସଂସାରରେ ଆଉ କେହି ନାହିଁ। ମାତାପିତାଙ୍କୁ ପରିକ୍ରମା କରିବାର ଅର୍ଥ ହେଉଛି ତିନି ଲୋକଙ୍କୁ ପରିକ୍ରମା କରିବା। ତେଣୁ ଆଜିଠାରୁ ମନୁଷ୍ୟ ତା’ର ସମସ୍ତ ଶୁଭ କାର୍ଯ୍ୟର ଆରମ୍ଭରେ ତୁମର ହିଁ ପୂଜା କରିବ। ଆଉ ସେବେଠାରୁ ଗଣେଶଙ୍କୁ ଆଦ୍ୟ ପୂଜ୍ୟ ଦେବତା କୁହାଯିବା ସହ ସବୁ ଶୁଭ କାମରେ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share