ସର୍ଭିକାଲ କ୍ୟାନ୍ସର (ଜରାୟୁ ଗ୍ରୀବା କର୍କଟ) ପାଇଁ ଏକ ଟିକା ନିକଟରେ ଉଦ୍ଭାବିତ ହୋଇଛି। ଡେନ୍ମାର୍କର କୋପନହେଗେନସ୍ଥିତ ଡ୍ୟାନିଶ୍ କ୍ୟାନସର ସୋସାଇଟିର କ୍ୟାନ୍ସର ବିଶେଷଜ୍ଞମାନେ ଦୀର୍ଘ ୫ବର୍ଷ ପରିଶ୍ରମ କରି ଏଥିରେ ସଫଳ ହୋଇଛନ୍ତି। ଉକ୍ତ ନୂତନ ଟିକାକୁ ‘ଏଚ୍ପିଭି ୧୬-୧୮ ଟିକା’ ନାମରେ ନାମିତ କରାଯାଇଛି। ୨୦୦୬ରେ ଉଦ୍ଭାବିତ ଏଚ୍ପିଭି ଟିକାଠାରୁ ଏହା ଉନ୍ନତମାନର ବୋଲି ସେମାନେ ପ୍ରକାଶିତ ଗବେଷଣା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଉକ୍ତ ସୋସାଇଟିର ଡା. କ୍ରିଗେଲ ସେନଗାର୍ଙ୍କ ତତ୍ତ୍ୱାବଧାନରେ ହୋଇଥିବା ଗବେଷଣାରୁ ଏପରି ସଫଳତା ମିଳିଛି। ସେ କହିଛନ୍ତି ଯେ, ଏହି ଟିକା ନେଲେ ସର୍ଭିକାଲ କ୍ୟାନ୍ସର ଆଶଙ୍କାକୁ ଅନେକାଂଶରେ ଦୂରେଇ ଦେଇ ହେବ। କେବଳ ସେତିକି ନୁହେଁ, ଏହାଜନିତ ମୃତ୍ୟୁ ହାରକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ବିଶେଷଭାବରେ ମହିଳାମାନଙ୍କ କ୍ଷେତ୍ରରେ ଏହି ଟିକା ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଥିବାର ଜଣାପଡ଼ିଛି।