ସଲମାନଙ୍କ ଘର ଉଡ଼ାଇ ଦେବାକୁ ଧମକ

ବଲିଉଡ୍‌ର ସିଙ୍ଗଲ୍‌ ମ୍ୟାନ୍‌ ସଲମାନ୍‌ ଖାଁଙ୍କ ଘର ଉଡ଼ାଇ ଦେବାକୁ ଗାଜିଆବାଦର ଜଣେ ୧୬ ବର୍ଷର ନାବାଳକ ଧମକ ଦେଇଛନ୍ତି। ମୁମ୍ବାଇ ପୋଲିସକୁ ମେଲ୍‌ କରି ସେ ଏହି ବାର୍ତ୍ତା ପଠାଇଛନ୍ତି। ମେଲ୍‌ ପାଇବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇ ଆସିଛି।
ଏକ ରିପୋର୍ଟରୁ ପ୍ରକାଶ, ଗାଜିଆବାଦରୁ ମୁମ୍ବାଇର ବାନ୍ଦ୍ରା ପୋଲିସକୁ ଗତ ୪ ତାରିଖରେ ମେଲ୍‌ଟି ପଠାଯାଇଛି। ଏହି ମେଲ୍‌ରେ ନାବାଳକ ଜଣକ ଲେଖିଛନ୍ତି, ବାନ୍ଦ୍ରାରେ ଥିବା ‘ଗ୍ୟାଲେକ୍ସି’ (ସଲମାନ୍‌ଙ୍କ ଘର) ଉପରେ ୨ ଘଣ୍ଟା ପରେ ଏକ ବୋମା ପଡ଼ିବ। ପାରୁଛ ଯଦି ଅଟକାଇ ଦିଅ। ଏହା ପାଇବା ପରେ ପୋଲିସ ପୂରା ଟିମ୍‌ ସହ ୪ ଘଣ୍ଟା ଧରି ସଲମାନ୍‌ଙ୍କ ଘର ଯାଞ୍ଚ କରିଛି। ବାନ୍ଦ୍ରା ପୋଲିସ ଷ୍ଟେଶନ ଅଧିକାରୀ କହିଛନ୍ତି, ଘର ଯାଞ୍ଚ ସମୟରେ ସଲମାନ୍‌ ଉପସ୍ଥିତ ନ ଥିଲେ। ତାଙ୍କ ମାଆ, ବାପା, ଭଉଣୀ ସମସ୍ତଙ୍କୁ ଘରୁ ବାହାରକୁ ବାହାର କରି ଯାଞ୍ଚ କରିଥିଲେ। ମାତ୍ର ବୋମାର କୌଣସି ସୁରାକ୍‌ ପାଇ ନ ଥିଲେ। ପରେ ସଲମାନଙ୍କ ପରିବାର ଲୋକେ ଘରେ ପଶିଥିଲେ।
ଅନ୍ୟପକ୍ଷରେ ମେଲ୍‌ କରିଥିବା ନାବାଳକ ଜଣଙ୍କ ଫେରାର ହୋଇଯାଇଛନ୍ତି। ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୋଲିସ ନୋଟିସ କରିଛି।

Share