ସଲମାନଙ୍କ ସହ ଡେବ୍ୟୁ କରି ମିଳିଥିଲା ଲୋକପ୍ରିୟତା, ଏବେ ଅଭିନୟରୁ ଦୂରରେ ଏହିସବୁ ଅଭିନେତ୍ରୀ

ବମ୍ବେ: ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ସହ କାମ କରିବାକୁ ନବାଗତାମାନେ ଚାହିଁ ବସିଥାନ୍ତି। ତାଙ୍କ ସହ କାମ କରିବା ମାନେ ସଫଳତାକୁ ପାଖରେ ଦେଖିବା ବୋଲି ଅନେକେ ମନେ କରିଥାନ୍ତି। ହେଲେ ଏପରି କେତେଜଣ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଲମାନଙ୍କ ସହ ଡେବ୍ୟୁ କରି ଲୋକପ୍ରିୟ ହୋଇଥିଲେ ସୁଦ୍ଧା ପରେ ଅଭିନୟରୁ ଦୂରେଇ ଯାଇଛନ୍ତି।

ଏହି ତାଲିକାରେ ରହିଛନ୍ତି ଚାନ୍ଦିନୀ। ସେ ଫିଲ୍ମ ‘ସନମ ବଓ୍ବେଫା’ରେ ସଲମାନଙ୍କ ସହ କାମ କରିଥିଲେ। ଫିଲ୍ମଟି ସେତେବେଳେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ପରେ ମାତ୍ର ୮-୧୦ଟି ଫିଲ୍ମରେ ସେ ଅଭିନୟ କରିବା ପରେ ବଲିଉଡ୍‌ରୁ ହଠାତ୍‌ ଗାଏବ ହୋଇଯାଇଥିଲେ।

ମେନେ ପ୍ୟାର କିୟାର ଭାଗ୍ୟଶ୍ରୀ ସଲମାନଙ୍କ ସହ ଡେବ୍ୟୁ କରିଥିଲେ। ଫିଲ୍ମଟି ହିଟ୍‌ ସାବ୍ୟସ୍ତ ହୋଇଥିଲା। ହେଲେ ଏହାର କିଛି ଦିନ ପରେ ସେ ବିବାହ କରିନେଇଥିଲେ। ପରେ ସେ ସ୍ବାମୀଙ୍କ ସହ କେବଳ ଫିଲ୍ମ କରିବାକୁ ନିର୍ମାତାମାନଙ୍କୁ କହିଥିଲେ। ଶେଷରେ ସ୍ବାମୀଙ୍କ ସହ ଫିଲ୍ମ କରିଥିଲେ ହେଁ ତାହା ସଫଳ ହୋଇ ନ ଥିଲା। ପରେ ସେ ଫିଲ୍ମରୁ ଦୂରେଇ ଯାଇଥିଲେ।

ଫିଲ୍ମ ତେରେନାମ ଜରିଆରେ ସଲମାନଙ୍କ ସହ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଭୂମିକା ଚାଓ୍ବଲା। ଫିଲ୍ମରେ ତାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରାଯାଇଥିଲା। ହେଲେ ଭୂମିକା ଭାରତ ଠାକୁରଙ୍କୁ ବିବାହ କରିବା ପରେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ।
ସେହିଭଳି ଅଭିନେତ୍ରୀ ସ୍ନେହା ଉଲ୍ଲାଲ ଏବଂ ରେବତୀ ମଧ୍ୟ ସଲମାନଙ୍କ ନାୟିକା ସାଜି ବଲିଉଡ୍‌ରେ ଡେବ୍ୟୁ କରି ବାହାବା ସାଉଁଟିଥିଲେ। ‘ଲକି ନୋ ଟାଇମ୍‌ ଫର ଲଭ’ରୁ ସ୍ନେହା କାମ କରିଥିବା ବେଳେ ‘ଲଭ’ରେ ରେବତୀ ଅଭିନୟ କରିଥିଲେ। ହେଲେ ପରେ ବଲିଉଡ୍‌ରୁ ନିଜକୁ ଦୂରେଇ ନେଇଥିଲେ।

Share